କାଳୁପଡ଼ା ଘାଟ,୨୫।୦୪(ବିନୁ ଦାସ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିଡ଼ିଓ ସୁଷମା ବାରିକଙ୍କ ଅବହେଳା ଯୋଗୁଁ ବିଭିନ୍ନ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ହୋଇପାରିନି। କେଉଁଠି ପାନୀୟ ଜଳଯୋଗାଣ ପ୍ରକଳ୍ପ ଅଛି ପାଣି ଆସୁନି ତ କେଉଁଠି ଗୋଚର ଜମିରେ ଆମ ଗାଁ ଆମ ବିକାଶ ଘର ହେଲାଣି। ପୁଣି ଅନ୍ୟପକ୍ଷରେ ଦେଖିବାକୁ ଗଲେ ମନରେଗା ପୋଖରୀ ଖୋଳିବା କାମ ମଣିଷ ପରିବର୍ତ୍ତେ ଜେସିବି ରେ ହେଉଛି। ସୂଚନାଯୋଗ୍ୟ ଯେ ଚିଲିକା ବ୍ଲକ ସୋରଣ ପଞ୍ଚାୟତ ହଂସରାଡ଼ି ଗ୍ରାମରେ ୧୫୦୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ରୁହନ୍ତି। ରାଜ୍ୟ ସରକାରଙ୍କ ବର୍ତ୍ତମାନ କୋଭିଡ ପରିସ୍ଥିତି ରେ ମୂଳ ମନ୍ତ୍ର ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ ପ୍ରତି ପରିବାର କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ମୂଳମନ୍ତ୍ର ରେ ଅଟକି ରହିଥିବାବେଳେ ବିଭାଗୀୟ ଅଧିକାରୀଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ନିରୀହ ଗ୍ରାମବାସୀ ବଳି ପଡୁଛନ୍ତି। ପ୍ରାପ୍ତ ସୂଚନା ମୁତାବକ ସୋରଣ ପଞ୍ଚାୟତ ଏକନମ୍ବର ୱାର୍ଡ ହଂସରାଡ଼ି ଗ୍ରାମରେ ପିଇବା ପାଇଁ ପାଣି ବୁନ୍ଦାଏ ମିଳୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ ଗାଧୋଇବା ପାଇଁ ମଧ୍ୟ ଜଳର ସଙ୍କଟ ଦେଖା ଦେଇଛି । କୂଅ ଅଛି ପାଣି ନାହିଁ ପୋଖରୀ ଅଛି ଝଞ୍ଜା ଶୁଖିଲା ଏପରିକି ସରକାରୀ ସ୍ତରରେ ପାନୀୟ ଜଳଯୋଗାଣ ପାଇଁ ପାଇପ୍ ଅଛି ହେଲେ ପାଣି ଆସୁନି।
ସରକାରୀ ସ୍ତରରେ ବିଭିନ୍ନ ସମୟରେ ବିଭିନ୍ନ ଲୋକାଭିମୁଖୀ ଯୋଜନା ହଂସରାଡ଼ି ଗ୍ରାମବାସୀ ଙ୍କର ପାଖରେ ଅପହଞ୍ଚ। ନିର୍ବାଚନ ସମୟ ଆସିଲେ ନେତା ମାନେ ବିଭିନ୍ନ ମିଥ୍ୟା ପ୍ରତିଶୃତି ଦେଇ ଲୋକମାନଙ୍କୁ ପ୍ରଲୋଭିତ କରି ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି। ସୋରଣ ପଞ୍ଚାୟତର ବଡ଼ଡିହ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ମାନସିଂପୁର, ଚମ୍ପାଦେଇପୁର, ବଡ଼ଡିହ, ହଂସରାଡ଼ି ଏବଂ ରାଧାମୋହନପୁର ଅଞ୍ଚଳର ୧୦ ହଜାର ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କର ପାଇଁ ପାନୀୟ ଜଳଯୋଗାଣ ପ୍ରକଳ୍ପଟି କାର୍ଯ୍ୟ କରୁଥିଲେ ବି ହଂସରାଡ଼ି ଗ୍ରାମର ୧୫୦୦ ଗ୍ରାମବାସୀ ପାଣିପାଇଁ ହାହାକାର ହେଉଛନ୍ତି। କେଉଁଠି ଅଣ୍ଟାଏ ଗାତ କରି ପାଇପ୍ ର ଜଳକୁ ବର୍ଷା କୁ ଚାତକ ଭଳି ଅନେଇ ରହୁଛନ୍ତି ତ ପୁଣି କେଉଁଠି ଅଧକିଲୋମିଟର ଦୂରରେ ଥିବା ଅନ୍ୟ ଏକ ଗ୍ରାମ ଚମ୍ପାଦେଇପୁର ରେ ଅବସ୍ଥିତ ଏକ କୂଅକୁ ସହସ୍ରାଧିକ ଗ୍ରାମବାସୀ ନିର୍ଭରଶୀଳ ହେଉଛନ୍ତି ତଥାପି ପାନୀୟ ଜଳ ମିଳିବା କଷ୍ଟକର।
ବହୁବାର ଗ୍ରାମବାସୀଙ୍କ ମଧ୍ୟରେ ପାଣିପାଇଁ ଝଗଡା ହୋଇ ମାମଲା ଯାଇ ଥାନାରେ ପହଁଚୁଛି। ପାନୀୟ ଜଳଯୋଗାଣ ସମସ୍ୟା ନେଇ ଆମ ପ୍ରତିନିଧି ସରପଞ୍ଚ ସୁଜାତା ବିଶ୍ବାଳଙ୍କ ପ୍ରତିନିଧି ସୁକାନ୍ତ ବିଶ୍ବାଳଙ୍କ ମତାମତ ଲୋଡିଥିଲେ ସେ କହିଥିଲେ ଯେ ଆମକୁ ସବୁ କ୍ଷେତ୍ରରେ ଚିଲିକା ବିଡ଼ିଓ ସୁଷମା ବାରିକ ସହଯୋଗ କରୁନାହାନ୍ତି କି ସୋରଣ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ର ପୃଷ୍ଟି ପଞ୍ଚାୟତକୁ ସାତ ମାସହେବ ଆସୁନାହାନ୍ତି କି କୌଣସି ବିକାଶମୂଳକ କାମ କରିବାକୁ ସହଯୋଗ ଦେଉନାହାନ୍ତି। ଅପରପକ୍ଷରେ ଆମ ପ୍ରତିନିଧି କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର ପୃଷ୍ଟିଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ପାଇପ୍ ବିଛା ଯାଇଛି କିନ୍ତୁ କିଛି ଗ୍ରାମବାସୀ ମଟର ଯୋଗେ ଏବଂ କିଛି ବେନିୟମ ପାଇପ୍ ସଂଯୋଗ ହୋଇଛି ଏପରିକି ପାନୀୟଜଳକୁ ଲୋକମାନେ ପନିପରିବା ଚାଷ ପାଇଁ ବେନିୟମ ପାଇପ ସଂଯୋଗ ନେଇଛନ୍ତି ଏହି ବେନିୟମ ପାଣି ଚୋରି ରୋକିବା ସରପଞ୍ଚଙ୍କର ଦାୟିତ୍ୱ ଯଦି ବେନିୟମ ପାଣି ସଂଯୋଗ କାଟିଦିଆଯିବ ତ ଗ୍ରାମବାସୀ ମାନଙ୍କ ପାଇଁ ପାଣିର ଅସୁବିଧା ରହିବନି। ଅପରପକ୍ଷରେ ସୋରଣ ସମିତି ସଭ୍ୟ ଛବି କହିଥିଲେ ଯେ ବାରମ୍ବାର ଆମେ ଦୃଷ୍ଟି ଆକର୍ଷଣ ସରପଞ୍ଚଙ୍କୁ କରିଥିଲେ ବି ସରପଞ୍ଚ ସହଯୋଗ କରୁନାହାନ୍ତି। ପରବର୍ତ୍ତୀ ସମୟରେ ଆମେ ଚିଲିକା ବ୍ଲକ ପାନୀୟ ଜଳଯୋଗାଣ ଜନୈକ ଯନ୍ତ୍ରୀ ବାସୁଦେବ ଶତପଥୀଙ୍କର ମତାମତ ଲୋଡିଥିଲୁ ସେ କହିଥିଲେ ମୁଁ ଗୋଟିଏ ଲୋକ ସତଗୋଟି ପଞ୍ଚାୟତ ବୁଝିବା ସମୟ ହେଉନି ସୁବିଧା ହେଲେ ତଦନ୍ତ କରିବି ଘଟଣା ସ୍ଥଳକୁ ସରପଞ୍ଚଙ୍କୁ କହିଛି ତଦନ୍ତ କରି ମତାମତ ଦେବେ ଆବଶ୍ୟକ ସହଯୋଗ କରିବାକୁ ଆଶ୍ୱାସନା ଦେଇଛନ୍ତି। କିନ୍ତୁ ଗ୍ରାମବାସୀ କହିଛନ୍ତି ଯେ ଯନ୍ତ୍ରୀ ବାସୁଦେବ ଶତପଥୀ ପ୍ରମୁଖ ପନ୍ଦର ଦିନ ହେବ ଆଜି ଯିବି କାଲି ଯିବି କହି କହି ଆଉ ଫୋନ ବି ଉଠାଉନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଲୋକମାନଙ୍କୁ ଭୁଆଁ ବୁଲାଇବାରେ ଚିଲିକା ପ୍ରଶାସନ ବେଶ୍ ମାହିର। ଗ୍ରାମବାସୀ ମାନେ ସାତ ଦିନର ମହଲତ ଦେଇଛନ୍ତି ଯଦି ପାଣି ସମସ୍ୟା ସମାଧାନ ନ ହୁଏ ତେବେ ସୋରଣ ପଞ୍ଚାୟତ ଏବଂ ଚିଲିକା ବ୍ଲକ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।