ପୁଣି ଖୋଲିବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସାକେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ଏବେ କ‌ରୋନା ମିଟର ଉପରମୁହାଁ ହେଉଥିବା ଦେଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। କରୋନା କଟକଣା କଡ଼ାକଡ଼ି କରିବା ସହ ପ୍ରଥମ ଲହରର ପ୍ରଭାବ କମ ହେବା ପ‌ରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପୁଣି ଖୋଲିବା ପାଇଁ ଜିଲ୍ଲାପାଳ ଓ ପୌରପ୍ରଶାସକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏ ନେଇ ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ସମସ୍ତ ଜିଲ୍ଲାପାଳ, ମୁନିସିପାଲ କମିସନର, ସିଡିଏମ ଏବଂ ପିଏଚଓଙ୍କୁ ଚିଠି ଲେଖିଛନ୍ତି।ଚିଠିରେ ଆବଶ୍ୟକତା ଅନୁଯାୟୀ ସରକାରୀ ଓ ଘରୋଇ କୋଭିଡ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ କୁହାଯିବା ସହ ଏ‌ଥି ପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।

୧. ସରକାରୀ ଏବଂ ବେସରକାରୀ ଚିକିତ୍ସା କେନ୍ଦ୍ର, ଯାହା କୋଭିଡ୍-୧୯ ମହାମାରୀର ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକ୍ଷମ ହୋଇଥିଲା, ଆବଶ୍ୟକ ପଡ଼ିଲେ ୫୦ଟି ଶଯ୍ୟା ବୃଦ୍ଧି କରାଯାଇ ସେଗୁଡ଼ିକ ପୁଣି ଥରେ ଖୋଲାଯିବ। ଆଇସିୟୁ ସଂଖ୍ୟା ସାଧାରଣ ଶଯ୍ୟାର ୨୦% ହେବ ଏବଂ ଭେଣ୍ଟିଲେଟରର ଉପଲବ୍ଧତା ସମସ୍ତ ଆଇସିୟୁର ଅତି କମରେ ୫୦% ହେବ।

୨. ଜଣେ ପ୍ରାଧିକୃତ ମେଡିକାଲ୍ ଅଫିସର (ଏଏମଓ) ଏବଂ ଜଣେ ପ୍ରାଧିକୃତ ବ୍ୟକ୍ତି, ଓଏଏସ କୋଭିଡ୍ ଚିକିତ୍ସା କେନ୍ଦ୍ର ପାଇଁ ନିଯୁକ୍ତ ହେବେ ଏବଂ ନାମ ଓ ଯୋଗାଯୋଗ ନମ୍ବର ସରକାରଙ୍କ ନିକଟରେ ପହଞ୍ଚାଇବେ।

୩.ସମସ୍ତ ବୈଷୟିକ ସମସ୍ୟା ଏବଂ ରୋଗୀଙ୍କ ପଞ୍ଜୀକରଣ ପାଇଁ ଅତିରିକ୍ତ ଡିଏମଇଟି ପ୍ରଫେସର (ଡ।) ଉମାକାନ୍ତ ଶତପଥୀ ରାଜ୍ୟସ୍ତରୀୟ ପ୍ରାଧିକୃତ ଅଧିକାରୀ ହେବେ।