ଭୁବନେଶ୍ୱର,୨୭/୦୮ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। ମହାନଦୀର ମୁଣ୍ଡଳିଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବେଳେ ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ ପାଣି ପଶୁଛି ଓ ୩ ଲକ୍ଷ କ୍ୟୁସେକ ବନ୍ୟା ଜଳ ଛଡା ଯାଉଛି। ଏହି ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଗୁରୁବାର ବନ୍ୟା ସମ୍ପର୍କରେ ତାଜା ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଇବ ଓ ଭେଡେନ ନଦୀରୁ ବହୁ ପରିମାଣର ଜଳ ହୀରାକୁଦକୁ ପଶୁଛି । ଏବେ ହୀରାକୁଦରୁ ୧୮ଟି ଗେଟ ଜରିଆରେ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ପାଣି ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହାଫଳରେ ମହାନଦୀ ତଳ ମୁଣ୍ଡରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବାରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଛି । ସେ କହିଛନ୍ତି ଗତ ୩ ଦିନରେ ବର୍ଷା ଓ ବନ୍ୟା ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ରହିଛନ୍ତି । ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଅଛନ୍ତି ।