ଭୁବନେଶ୍ୱର,୧୬।୦୮: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଓଡ଼ିଶା ବିଧାନସଭା ଅଧିବେଶନ ବସିବ। ଆଜି ଏହି ସୂଚନା ଦେଇଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଓଡ଼ିଶା ବିଧାନସଭାର ଶେଷ ଅଧିବେଶନ ଗତ ମାର୍ଚ୍ଚ ୩୦ରେ ବସିଥିଲା। ନିୟମ ଅନୁସାରେ ପରବର୍ତ୍ତୀ ଅଧିବେଶନ ୬ ମାସ ମଧ୍ୟରେ ହେବ। ତେଣୁ ସେପ୍ଟେମ୍ବେର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବ। ସେ କହିଲେ କରୋନା ସମୟରେ କର୍ଣ୍ଣାଟକ ଓ ରାଜସ୍ଥାନ ବିଧାନସଭାର ଅଧିବେଶନ ନିକଟରେ ବସିଛି। ଅଧିବେଶନ ସମୟରେ ସମସ୍ତଙ୍କୁ ନିୟମ ପାଳନ କରିବାକୁ ପଡ଼ିବ। ବିଧାନସଭା ଅଧିବେଶନ ପରିଚାଳନା ନେଇ ଏ ଦୁଇଟି ରାଜ୍ୟର ବାଚସ୍ପତିଙ୍କ ସମେତ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ସଚିବଙ୍କ ମତାମତ ନେଇଛି। ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରି ଗୃହ ପରିଚାଳନା କରିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ଅଧିବେଶନ ପାଇଁ ଆମେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହିତ କଥା ହୋଇ ତାରିଖ ନିର୍ଦ୍ଧାରଣ କରିବୁ। ବିଧାନସଭାର ମୌସୁମୀ ଅଧିବେଶନ କେଉଁଠି ବସିବ ତାହା ନିଷ୍ପତ୍ତି ହୋଇନାହିଁ। ପରବର୍ତ୍ତୀ ଅଧିବେଶନ ନେଇ ଯଦିଓ ତାରିଖ ଓ ସ୍ଥାନ ନିର୍ଦ୍ଧାରଣ ହୋଇ ନାହିଁ ତଥାପି ଖୁବ ଶୀଘ୍ର ଜଣାପଡ଼ିବ ବୋଲି ଶ୍ରୀ ପାତ୍ର କହିଛନ୍ତି।