ଭୁବନେଶ୍ୱର,୧୪।୦୮ : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରିବହନ ବିଭାଗ ପକ୍ଷରୁ ସବୁ ଆରଟିଓ କାର୍ଯ୍ୟାଳୟକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି। ପରିବହନ କମିଶନର ଏନେଇ ସବୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କୁ କେବଳ କାର୍ଯ୍ୟାଳୟରେ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଛି।
ଏହାବ୍ୟତୀତ ଡ୍ରାଭିଂ ଲାଇସେନ୍ସ ବା ଲନର୍ସ ଲାଇସେନ୍ସ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ମିଳିବ। ଡ୍ରାଇଭିଂ ଲାଇସେନ୍ସ/ଲନର୍ସ ଲାଇସେନ୍ସ ପାଇଁ ମାତ୍ର ଆଧା ଘଣ୍ଟାର ସ୍ଲଟ ରହିବ। ତେବେ ଦିନରେ କେତୋଟି ସ୍ଲଟ ରହିବ ତାହା ସଂପୃକ୍ତ ପରିବହନ ଅଧିକାରୀ ନିର୍ଦ୍ଧାରଣ କରିବେ। ଫିଟନେସ ସାର୍ଟିଫିକେଟ, ଆରସି ବୁକ ପଞ୍ଜିକରଣ, ଟ୍ରାନ୍ସଫର ଏଫ ଓନରସିପ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ଅନୁମତି ଦିଆଯିବ। କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ନିୟମ କଡାକଡି ପାଳନ କରାଯିବା ସହିତ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି।