ବ୍ରହ୍ମପୁର: ରାଜ୍ୟରେ କରୋନା କାୟା ବିସ୍ତାର କରିବାରେ ଲାଗିଲାଣି । ଏ ସବୁ ଭିତରେ ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ମୁହାଁଉଛି। ସବୁଠାରୁ ଉଦ୍ବେଗର ବିଷୟ ହେଉଛି, କରୋନା ମୁକାବିଲାରେ ନିୟୋଜିତ କୋଭିଡ୍ ଯୋଦ୍ଧା ଏବେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି। ଜିଲ୍ଲାରେ ଇତି ମଧ୍ୟରେ ୧୮୩ ଜଣ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହେଲେଣି। ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।
ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଉଛନ୍ତି । ସଚେତନ କରୁଛନ୍ତି ତଥାପି କମିବାର ନାଁ ଧରୁନି। ପ୍ରଥମେ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ୧୦ ଦିନ ପାଇଁ ବାରଣ କରାଗଲା।
ଗ୍ରାମାଞ୍ଚଳ ଲୋକଙ୍କୁ ଆବଶ୍ୟକତା ନଥିଲେ ୧୫ଦିନ ସହରକୁ ନଆସିବା ପାଇଁ ନିବେଦନ କରାଯାଉଛି।
ଆଉ ଏବେ କାର୍ଯ୍ୟାଳୟରେ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ ନିମନ୍ତେ ପ୍ରଶାସନ ଅଣ୍ଟା ଭିଡ଼ିଛି। ପ୍ରତି ସରକାରୀ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କୁ କୋଭିଡ଼୍ ମନିଟର୍ ଭାବେ ଚୟନ କରାଯିବ। କୋଭିଡ଼୍ ମିନିଟର ଉକ୍ତ କାର୍ଯ୍ୟାଳୟରେ କୋଭିଡ଼୍ ନିୟମାବାଳୀ ଅନୁପାଳନ ହେଉଛି କି ନାହିଁ ତଦାରଖ କରି ପ୍ରତ୍ୟହ କାର୍ଯ୍ୟାଳୟ ମୁଖ୍ୟଙ୍କୁ ରିପୋର୍ଟ ଦେବେ। ସରକାରୀ କାର୍ଯ୍ୟାଳୟରେ ସାମାଜିକ ଦ୍ୱରତ୍ୱ ଅବଲମ୍ବନ, କର୍ମଚାରୀ ମାସ୍କ୍ ପିନ୍ଧିବା ଏବଂ କାର୍ଯ୍ୟାଳୟ ସାନିଟାଇଜ୍(ବିଶୋଧନ) ଆଦି ଦିଗ ଉପରେ କୋଭିଡ଼୍ ମନିଟର୍ ଦୃଷ୍ଟି ଦେବେ। ଉଲ୍ଲଘଂନ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ, ଗତ ୧୮ତାରିଖରେ ୧୩ ଜଣ କୋଭିଡ଼୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଥିଲେ, ୧୯ତାରିଖରେ ୧୨ ଜଣ, ୨୦ ତାରିଖରେ ୬ଜଣ, ୨୧ତାରିଖରେ ୧୦ଜଣ, ୨୨ତାରିଖରେ ୨ଜଣ, ୨୩ ତାରିଖରେ ୬ ଜଣ ଏବଂ ୨୪ ତାରିଖରେ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୫ ତାରିଖରେ ୧୮ଜଣ ଓ ୨୬ ତାରିଖରେ ୧୩ ଜଣ ଏବଂ ବିଳମ୍ବିତ ରାତିରେ ଆଉ ୧୩ ଜଣ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହେବା ଯୋଗୁଁ ଜିଲ୍ଲାର ଗୋଟିଏ ପରେ ଗୋଟିଏ କାର୍ଯ୍ୟାଳୟ ଅଚଳ ହେବାରେ ଲାଗିଛି। ଗତକାଲି ରଙ୍ଗେଇଲୁଣ୍ଡା ବ୍ଲକ୍ କାର୍ଯ୍ୟାଳୟ, କନିଷି ତହସିଲ ଓ କନିଷି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।