ସହରାଞ୍ଚଳ ଲୋକଙ୍କୁ ମିଳିବ ଆକ୍ୱାଗାର୍ଡ ମାନର ଜଳ

ଭୁବନେଶ୍ୱର : ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍‍ଶୀଘ୍ର ଟ୍ୟାପ୍‍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ। ଏହି ଟ୍ୟାପ୍‍ରୁ ଆକ୍ୱାଗାର୍ଡ ମାନର ପାଣି ଲୋକେ ସିଧାସଳଖ ପିଇପାରିବେ। ଭୁବନେଶ୍ୱର ମହାନଗର ନିଗମର କେତେକ ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ ଏଭଳି ଜଳଯୋଗାଣ ଆରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର, ପୁରୀ ଓ କଟକରେ ମଧ୍ୟ ବିଶୁଦ୍ଧଜଳ ଯୋଗାଇ ଦିଆଯିବ। ଏହି ତାଲିକାରେ ସମ୍ବଲପୁର ମହାନଗର ନିଗମକୁ ଅର୍ନ୍ତଭୁକ୍ତ ଲାଗି ସରକାରୀ ସ୍ତରରେ ମତପ୍ରକାଶ ପାଇଛି।

ବୁଧବାର ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ସହରାଞ୍ଚଳରେ ୱାଟ୍‍କୋର ପାନୀୟ ଜଳଯୋଗାଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ୱାଟ୍‍କୋର ପରିଚାଳନା ନିର୍ଦ୍ଦେଶକ ପି.କେ.ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ସମୀକ୍ଷା ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ସଂକ୍ରାନ୍ତରେ ଶ୍ରୀ ସ୍ୱାଇଁ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କଟକ ମହାନଗର ନିଗମରେ ୱାଟ୍‍କୋ ପକ୍ଷରୁ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ଥିବାବେଳେ ପୁରୀରେ ଲୋକେ ଖୁବ୍‍ଶୀଘ୍ର ବିଶୁଦ୍ଧଜଳ ପାଇପାରିବେ ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଲୋକଙ୍କୁ ପାଇପ୍‍ ଯୋଗେ ‘ଆକ୍ୱାଗାଡଁ’ ମାନର ବିଶୁଦ୍ଧ ଜଳଯୋଗାଣ ଲାଗି ୱାଟ୍‍କୋ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ପାଇପ୍‍ ବିଛାଯିବା ସହିତ ପ୍ରତ୍ୟେକ ଲୋକଙ୍କ ଘରକୁ ଉନ୍ନତମାନର କଳଙ୍କିବିହୀନ ପାଇପ୍‍ ସଂଯୋଗ ହେଉଛି । ସେହିଭଳି ପାଣିର ମାନ ନିମୟିତ ଭାବେ ପରୀକ୍ଷା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଏଥିପାଇଁ ତାଲିମ ପ୍ରଦାନ କରାଯାଇଛି । ସେମାନେ ଜଳର ମାନ ପରୀକ୍ଷା ସହିତ ପ୍ରତ୍ୟେକ ହିତାଧିକାରୀଙ୍କ ଘରୁ ଜଳଯୋଗାଣ ସଂକ୍ରାନ୍ତୀୟ ବିଲ୍‍ ଆଦାୟ କରିବେ। ହିତାଧିକାରୀମାନେ କେତେ ଜଳ ବ୍ୟବହାର କରୁଛନ୍ତି ସେଥିପାଇଁ ଜଳମିଟର ଲାଗୁଥିବାବେଳେ ତଦନୁଯାୟୀ ବିଲ୍‍ ଆଦାୟ ହେବ । ୱାଟ୍‍କୋ ଅଧିନକୁ ସ୍ୱରେଜ ବ୍ୟବସ୍ଥା ଆଣିବାପାଇଁ ଅଧିକାରୀମାନେ ପ୍ରସ୍ତାବ ଦେଇଥିବାବେଳେ ଏହା ଉପରେ ଅଧିକ ଆଲୋଚନା ପରେ ନିଷ୍ପତ୍ତି ନିଆଯିବବୋଲି ବୈଠକରେ ମତପ୍ରକାଶ ପାଉଛି । ତେବେ କରୋନା ମହାମାରୀ ଯୋଗୁଁ ଧିମେଇ ଯାଇଥିବା ୱାଟ୍‍କୋ ଜଳଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।