ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଠକ ଓ ସାକ୍ଷାତକୁ ନେଇ ସ୍ୱତନ୍ତ୍ର ପ୍ରୋଟୋକଲ ଜାରି।

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୈଠକ ଓ ସାକ୍ଷାତକୁ ନେଇ ସ୍ୱତନ୍ତ୍ର ପ୍ରୋଟୋକଲ ଜାରି ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ଦେଇଥିବା ପରାମର୍ଶ ଅନୁଯାୟୀ ସରକାରୀ ଅଫିସରେ ଅଧିକ ସଂଖ୍ୟକ କର୍ମଚାରୀ କିମ୍ବା ଲୋକଙ୍କୁ ବସାଇ ବୈଠକ କରାଯିବା ଅନୁଚିତ୍। ଅତ୍ୟନ୍ତ ଜରୁରୀ ଥିଲେ ସର୍ବାଧିକ ୧୦ଜଣ (ସହାୟକ କର୍ମଚାରୀଙ୍କୁ ମିଶାଇ)ଙ୍କୁ ନେଇ ବୈଠକ କରାଯାଇପାରିବ। ଜରୁରୀ ନଥିଲେ ବୈଠକରେ ରାଜ୍ୟ ବାହାରର ସଦସ୍ୟଙ୍କୁ ସାମିଲ ନକରିବାକୁ ପରାମର୍ଶ ଦିଆଯାଇଛି। ସରକାରୀ ଅଫିସ ବ୍ୟତୀତ ସଂସ୍ଥା ବା ସଂଗଠନର ସଦସ୍ୟଙ୍କ ଉପସ୍ଥିତି ଜରୁରୀ ଥିଲେ ବୈଠକ ଅନଲାଇନରେ କରିବାକୁ କୁହାଯାଇଛି।

ସେହିପରି ୩୦ମିନିଟ୍ ଭିତରେ ବୈଠକକୁ ସୀମିତ ରଖାଯିବ। ବୈଠକ ସ୍ଥାନରେ ବାୟୁ ଚଳାଚଳ ଠିକ୍ ହେଉଥିବା ଆବଶ୍ୟକ। ବୈଠକବେଳେ ଦ୍ୱାର ଓ ଝରକା ଖୋଲା ରହିବା ଭଲ। ଖୋଲା ସ୍ଥାନରେ ହେଲେ ଆହୁରି ଭଲ। ଏସି ରୁମରେ ଦୀର୍ଘସମୟ ବୈଠକ ନକରିବାରୁ ପରାମର୍ଶ ଦିଆଯାଇଛି। ଅଫିସ୍ ଚାମ୍ବରରେ ଏକସମୟରେ ୩ଜଣରୁ ଅଧିକ ବୈଠକ କରିପାରିବେ ନାହିଁ। ବୈଠକ ପରିବର୍ତ୍ତେ ଯାହାର ଯେତେବେଳେ ଆବଶ୍ୟକ ସେହି ଅନୁସାରେ ସମ୍ପୃକ୍ତ କର୍ମଚାରୀଙ୍କୁ ଡାକିବେ। ବୈଠକ ସମୟରେ ୨ମିଟରର ସାମାଜିକ ଦୂରତ୍ୱ ରକ୍ଷାକରି ବସିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଚା’ ଓ କଫି ପ୍ରଦାନକୁ ବାରଣ କରାଯାଇଛି।