କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ରେ ୩୦ ଜୁନ୍‌ ଯାଏଁ କୌଣସି ଧର୍ମାନୁଷ୍ଠାନ ଓ ସପିଙ୍ଗ୍‌ ମଲ୍‌ ଖୋଲିବ ନାହିଁ ।

ଭୁବନେଶ୍ୱର ୮/୦୬: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜୁନ୍‌ ୩୦ ଯାଏଁ ଓଡ଼ିଶାରେ କୌଣସି ଧର୍ମାନୁଷ୍ଠାନ ଓ ସପିଙ୍ଗ୍‌ ମଲ୍‌ ଖୋଲିବ ନାହିଁ । ହୋଟେଲ ଓ ରେସ୍ତୋରାଁ କେବଳ ପାର୍ସଲ ଓ ହୋମ୍‌ ଡେଲିଭରି ମାଧ୍ୟମରେ ଖାଦ୍ୟ ଯୋଗାଇ ପାରିବେ।

କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌ ୧.୦ ନିୟମାବଳି ଅନୁସାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଜୁନ୍‌ ୮ ଅର୍ଥାତ୍‌ ଆଜିଠୁ ଦେଶର ମୋଟ ୮୨୦ଟି ଉପାସନା ପୀଠ ଓ ଐତିହାସିକ କୀର୍ତ୍ତିରାଜି ଖୋଲିବ ବୋଲି ବିବୃତି ଜାରି କରିଛି । ଏଏସ୍‌ଆଇର ଏହି ତାଲିକାରେ ଓଡ଼ିଶାରେ ପୁରୀ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ୪୬ଟି କୀର୍ତ୍ତିରାଜି ରହିଛି । ଏଣୁ ଏଏସ୍‌ଆଇର ବିବୃତି ରାଜ୍ୟ ସରକାରଙ୍କ କରୋନା ଅନ୍‌ଲକ୍‌ କଟକଣାର ପରିପନ୍ଥୀ ହେଉଥିବାରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି) ପୁଣିଥରେ ଆଦେଶନାମା ଜାରି କରିଛନ୍ତି ।

ଏଥିରେ ଏସ୍‌ଆର୍‌ସି କହିଛନ୍ତି, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜସ୍ୱ କଟକଣା ଜାରି କରିପାରିବେ । ଏହାପରେ ଓଡ଼ିଶା ସରକାରକରୋନା ମୁକାବିଲା ପାଇଁ ନିଜସ୍ୱ ନିୟମ ଆଣିଛନ୍ତି । ଏହା ଅନୁସାରେ ଜୁନ୍‌ ୩୦ ଯାଏଁ ରାଜ୍ୟର ସମସ୍ତ ଉପାସନା ସ୍ଥଳୀ, ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ସପିଙ୍ଗ୍‌ ମଲ୍‌ଗୁଡ଼ିକ ମଧ୍ୟ ଜୁନ୍‌ ୩୦ ଯାଏଁ ଖୋଲିବନି । ହୋଟେଲ ଓ ରେସ୍ତୋରାଁଗୁଡ଼ିକ କେବଳ ପାର୍ସଲ ଓ ହୋମ୍‌ ଡେଲିଭରି (ଜୋମାଟୋ ଓ ସ୍ୱିଗି ସମେତ) ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଯୋଗାଇପାରିବେ ।