ଭୁବନେଶ୍ବର : ସେ ଏମିତି କିଛି କରିଛନ୍ତି ଯାହା ପାଇଁ ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରେ ମଧ୍ୟ ବେଶ୍ ପ୍ରଶଂସିତ ହେବା ସହ ଆମ ରାଜ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସୁନାମ ଆଣିଛନ୍ତି।
କରୋନା ପ୍ରଭାବେ ରାଜ୍ୟରେ ଯେତେବେଳେ ଲକ୍ ଡାଉନ୍ ର ପ୍ରଭାବ ପଡିଲା ସେତେବେଳେ ଝାଡ଼ଖଣ୍ଡ ଓ ବିହାରରୁ ଓଡିଶାକୁ କାମ କରିବାକୁ ଆସିଥିବା ପ୍ରାୟ ୬୭ ଝାଡ଼ଖଣ୍ଡ ଶ୍ରମିକ ଓ ୧୦ ବିହାର ଶ୍ରମିକ କାମ ନମିଳିବାରୁ ରଖିଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯିବା ପରେ ଖାଇବାକୁ ନପାଇ ବହୁତ୍ ଅସୁବିଧା ରେ ପଡିଥିଲେ ଏ ଖବର ପାଇବା ପରେ ଛତାବର ସରପଞ୍ଚ ଶ୍ରୀମତୀ ଡେଙ୍ଗ ସେମାନଙ୍କୁ ନେଇ ନିଜ ପଞ୍ଚାୟତରେ ରଖିବା ସହ ପ୍ରାୟ ଏକମାସ ଧରି ଖାଇବା ପିଇବା ବନ୍ଦବୋସ୍ତ କରି ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ଗାଡ଼ି ମଟର ଚାଲିବା ପରେ ନିଜ ରାଜ୍ୟ ଝାଡ଼ଖଣ୍ଡ କୁ ଫେରିଯିବା ପାଇଁ ବ୍ୟବସ୍ଥା କରିଥିଲେ।
ସେମାନେ ଝାଡ଼ଖଣ୍ଡ ରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ସବୁ କଥା ଜଣାଇବା ପରେ ତାଙ୍କ ପ୍ରସଂଶା ରେ ଶତମୁଖ ହୋଇ ଝାଡ଼ଖଣ୍ଡ ରାଜ୍ୟର ଜାମୁଆ ବିଧାନସଭାର ବିଧାୟକ
ଶ୍ରୀ କେଦାର ହାଜରା ଫୋନ ଯୋଗେ ସରପଞ୍ଚ ଶ୍ରୀମତୀ ଡେଙ୍ଗଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ ଭଳି ଭାବେ ଅତିଥି ସେବା କରି ତାଙ୍କ ରାଜ୍ୟର ଶ୍ରମିକମାନଙ୍କୁ ନିଜ ରାଜ୍ୟ କୁ ଫେରିବା ପାଇଁ ସୁ ବନ୍ଦୋବସ୍ତ କରିଛନ୍ତି ସେଥିପାଇଁ ଆଗାମୀ ବିଧାନସଭା ସେସନ୍ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଝାଡ଼ଖଣ୍ଡ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି।
ପ୍ରକାଶ ଥାଉକି ଛତାବର ଆଦର୍ଶ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଡେଙ୍ଗ ଜଣେ ଉଚ୍ଚଶିକ୍ଷିତା ମହିଳା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରସାୟନ ବିଜ୍ଞାନ ଅଧ୍ୟାପନା ଛାଡି ସେ ସରପଞ୍ଚ ହେବା ପରେ ନିଜ ପଞ୍ଚାୟତ ସହ ଜିଲ୍ଲା ରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି କିନ୍ତୁ ଏଥର ତାଙ୍କର ଏଭଳି କାର୍ଯ୍ୟ ଆମ ରାଜ୍ୟ ପାଇଁ ସୁନାମ ଆଣିଦେଇଛି।