ରାୟଗଡା, (ସିଦ୍ଧାର୍ଥ ଦାସ) : କଟକ ଭୁବନେଶ୍ୱରରେ ନକଲି ଔଷଧ ବିକ୍ରି ମାମଲାରେ ପୋଲିସ ତନାଘନା କରୁଛି। ଅନ୍ୟପଟେ ରାୟଗଡା ଜିଲ୍ଲାରେ ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଅଟକ ରଖିଛି । ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ଏହି ନକଲି ଡାକ୍ତରଙ୍କୁ ଅଟକ ରଖିଛି ପୋଲିସ । ଜଣେ ନକଲି ଡାକ୍ତର ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ । ଉପାନ୍ତ ଅଞ୍ଚଳ ମୁନିଗୁଡାରେ ଲୋକଙ୍କ ଅଜ୍ଞାତର ସୁଯୋଗ ନେଇ ରୋଗୀଙ୍କ ଚିକିତ୍ସା କରୁଥିଲେ । ଏ ନେଇ ଅଭିଯୋଗ ହୋଇଥିଲା । ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗୁରୁବାର ଏହି ରେଡ୍ କରିଥିଲା। ମୁନିଗୁଡାରେ ଥିବା ପୁରୁଣା ବସଷ୍ଟାଣ୍ଡରେ ଏହି ଘରୋଇ କ୍ଲିନିକ୍ ଥିଲା। ସେଠାରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ପରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ ସୁବ୍ରତ ବିଶ୍ୱାସ ନାମକ ବ୍ୟକ୍ତି ଏହି ନକଲି କ୍ଲିନିକ୍ ଖୋଲିଥିଲେ। ଆଉ ଲୋକଙ୍କ ଚିକିତ୍ସା କରୁଥିଲେ। କିନ୍ତୁ କ୍ଲିନିକ ଖୋଲିବା ପାଇଁ ଆବଶ୍ୟକ ପ୍ରମାଣପତ୍ର ନାହିଁ। ପରେ ତଦନ୍ତକାରୀ ଟିମ୍ ବିପୁଳ ପରିମାଣର ଔଷଧ ଏବଂ ଚିକିତ୍ସା ଉପକରଣ ଜବତ କରିଛନ୍ତି ସଂପୃକ୍ତ କ୍ଲିନିକରୁ। ଏଥିସହ କ୍ଲିନିକକୁ ସିଲ୍ କରିଛି ପ୍ରଶାସନ। ଆଉ ନକଲି ଡାକ୍ତରଙ୍କୁ ମୁନିଗୁ଼ଡା ଥାନାରେ ଅଟକ ରଖାଯାଇ ଅଧିକ ତଦନ୍ତ ଚାଲିଛି।