ଲଘୁଚାପ ବର୍ଷାରେ ବେହାଲ୍ ରାୟଗଡ଼ା: ଏକର ଏକର ଜମି ଜଳମଗ୍ନ

ରାୟଗଡ଼ା: (ପ୍ରଫୁଲ୍ଲ କୁମାର ବେହେରା) ଲଘୁଚାପ ଜନିତ ବର୍ଷାରେ ବେହାଲ୍ ହୋଇ ପଡିଛି ରାୟଗଡ଼ା। ଶୁକ୍ରବାର ରାତିରୁ ଲାଗି ରହିଥିବା ବର୍ଷା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପଦ୍ମପୁର, ରାମନାଗୁଡ଼ା ତହସିଲର ଶହ ଶହ ଏକର ଜମି ଜଳମଗ୍ନ ହୋଇପଡିଛି । ସେପଟେ ରାୟଗଡ଼ା ବ୍ଲକରେ ଅସ୍ଥାୟୀ ପୋଲ ଭାସିଯିବା କାରଣରୁ ପୋଡାମରା-କୁମ୍ଭିକୋଟା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଗତ ୨୪ ଘଣ୍ଟାରେ ୪୩.୮୪ ମିମି ହାରରେ ଜିଲ୍ଲାରେ ୪୮୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ଚଳିତ ମୌସୁମୀରେ ସର୍ବାଧିକ। ପଦ୍ମପୁର ବ୍ଲକରେ ସର୍ବାଧିକ ୧୮୦.୩ ମିମି, ରାମନାଗୁଡ଼ାରେ ୧୩୬.୪ ମିମି, ଗୁଣପୁରରେ ୫୭ ମିମି, ରାୟଗଡ଼ାରେ ୨୦.୮ ମିମି, କୋଲନରାରେ ୧୬.୩ ମିମି, ଗୁଡାରିରେ ୧୬.୮ ମିମି, କାଶୀପୁରରେ ୧୩ ମିମି, କଲ୍ୟାଣସିଂହପୁରରେ ୧୩.୪ ମିମି, ବିଷମକଟକରେ ୧୫.୨ ମିମି, ମୁନିଗୁଡ଼ାରେ ୧୩ ମିମି ବର୍ଷା ହୋଇଛି। ଗତ ରାତିରେ ପଦ୍ମପୁରରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବା ଯୋଗୁ ପଦ୍ମପୁର ଓ ଜାତିଲି ରାଜସ୍ବ ସର୍କଲର ୩ ଶହ ଏକର ଜମି‌ ଜଳମଗ୍ନ ହୋଇଛି। ପାଣି ଜମି ରହିଥିବା ସମସ୍ତ ଜମିରେ ଧାନ ରୁଆ ସରିଥିବାରୁ ଫସଲ ନଷ୍ଟ ଆଶଙ୍କା ରହିଛି। ସୁନାରିଘାଇ ନାଳ, ଲାଉଗୁଡ଼ା ମାଇନର୍ କେନାଲ୍ ଭାଙ୍ଗିବା ଯୋଗୁ ଲାଉଗୁଡ଼ା, କେନ୍ଦୁଗୁଡା, ଖମାପଦର ଅଞ୍ଚଳର ଚାଷ ଜମିରେ ପାଣି ଜମି ରହିଛି। ଜୋକବନ୍ଧ ନିକଟରେ ମଧ୍ୟ ମାଇନର କେନାଲ୍ ଭାଙ୍ଗିଯିବା ଯୋଗୁ ଚାଷ ଜମି ଉପରେ ୩/୪ ଫୁଟର ପାଣି ଜମି ରହିଛି। ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ପରେ ଦୁଇ ଦିନ ତଳେ ବଡନାଳ ଡ୍ୟାମରୁ ପାଣି ଛଡ଼ା ଯାଇଥିଲା।