ବାଲିପାଟଣା ୨୯।୫: ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳରରେ ଶୁକ୍ରବାର ଭୋରରୁ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବାଲିପାଟଣା ଏବଂ ବାଲିଅନ୍ତାରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଭୋର ୪ଟାରୁ ଘଡଘଡି ବର୍ଷା ସହ ପ୍ରବଳ ବେଗରେ ପବନ ବୋହିଥିଲା । ୧୫ରୁ ୨୦ ମିନିଟ୍ ପବନରେ ଗଛ ସବୁ ଭାଙ୍ଗି ପଡିଥିଲା । କେତେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି । ଆଜବେଷ୍ଟସ୍ ଓ ମାଟି ଘର କ୍ଷତିଗ୍ରସ୍ତ ହୋଇଛି । ବାରହଳ ଗ୍ରାମରେ ପ୍ରବଳ ଘୂର୍ଣ୍ଣିଝଡ ସହ ବର୍ଷା ଓ ଗଛ ପଡିବା ଯୋଗୁ ଭୁଶୁଡି ପଡିଛି ଅନେକ ମାଟି ଓ ଆଜବେଷ୍ଟସ୍ ଘର ।
କାଳବୈଶଖୀରେ ଯୋଗୁଁ ଚାଷୀମାନଙ୍କର ପାନବରଜ ଭାଙ୍ଗିରୁଜି ଯାଇଛି । ବିଭିନ୍ନ ଛକମାନଙ୍କରେ ଥିବା କ୍ୟାବିନ୍ ଦୋକାନ ପବନରେ ଓଲଟି ପଡିଛି ।
ଅଞ୍ଚଳରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯାଇଛି । କେତେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମଧ୍ୟ ଭାଙ୍ଗି ଯାଇଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବାର ସୂଚନା ମିଳିଛି ।