ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ନୁହେଁ

ଭୁବନେଶ୍ୱର:୨୫।୦୭:ରାଜ୍ୟରେ ଚାଲିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଞ୍ଚମ ପାଳିର ବିଜେଡି ସରକାର । ଏହି ସରକାର ଏକ ବର୍ଷ ପୂରଣ କରିସାରିଛି । ପୂର୍ବ ସରକାରଙ୍କ କାର୍ଯ୍ୟକଳାପକୁ ବିଚାରକୁ ନେଲେ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା କଥା । କିନ୍ତୁ କରୋନା ପାଇଁ ଏହା ଅଟକି ଯାଇଛି । ବର୍ତ୍ତମାନ କରୋନା ମୁକାବିଲା ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ସରକାରଙ୍କ କରୋନା ପରିଚାଳନା ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ କଲେ ସରକାର ସମାଲୋଚିତ ହେବେ । ତେଣୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବିଳମ୍ବ ହେବ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତ ହେଲା ବର୍ତ୍ତମାନ ପରିସ୍ଥିତିରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବ ବୋଲି କୁହାଯାଇପାରିବ ନାହିଁ । କାରଣ ମନ୍ତ୍ରିମଣ୍ଡଳ ଅଦଳବଦଳ ଅପେକ୍ଷା କରୋନା ମୁକାବିଲା ସରକାରଙ୍କ ପାଇଁ ବଡ଼ । ନଚେତ୍ ରାଜ୍ୟବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ଭରସା ରହିଛି ତାହା ତୁଟିଯିବ । ସେମାନେ କହିଛନ୍ତି ରାଜ୍ୟ ମନ୍ତ୍ରିମଣ୍ଡଳରେ ଅନେକ ମନ୍ତ୍ରୀ ଅଛନ୍ତି ଯେଉଁମାନଙ୍କ କାର୍ଯ୍ୟଧାରା ସନ୍ତୋଷଜନକ ନୁହେଁ । କେତେକ ନିଜ ବିଭାଗ ପରିଚାଳନା ଅପେକ୍ଷା ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ନିଜ ସ୍ୱାର୍ଥ ହାସଲ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏ ଖବର ତୃତୀୟ ମହଲା ନିକଟରେ ରହିଛି । ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ଏହି ବର୍ଗର ନେତାଙ୍କ ନାମ ବାଦ୍ ପଡ଼ିବା ତାଲିକାରେ ପ୍ରଥମ ରହିବ । ସେହିପରି ଆଉ କେତେଜଣ ମନ୍ତ୍ରୀ ଅଛନ୍ତି ଯେଉଁମାନେ ତାଙ୍କ ବିଭାଗ ବିଷୟରେ ଅବଗତ ନୁହଁନ୍ତି । ସେମାନଙ୍କୁ ରଖି ମୁଖ୍ୟମନ୍ତ୍ରୀ ଆଉ ରିସ୍କ ନେବେନାହିଁ ବୋଲି ମନେ ହୁଏ । କାରଣ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ରହିଛି । ଦକ୍ଷତା ଥିବା ବ୍ୟକ୍ତିମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଗଲେ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଧିକ । ତେଣୁ ମନ୍ତ୍ରିମଣ୍ଡଳ ପାଇଁ ଦକ୍ଷତା ହିଁ ହେବ ମାପକାଠି ।

ସେହିପରି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେଲାଣି । କେବଳ ବାକି ରହିଛି ତାରିଖ ଘୋଷଣା । ସମ୍ଭବତଃ ଭାରତର ନିର୍ବାଚନ କମିଶନ ଆସନ୍ତା ସେପ୍ଟେମ୍ବର ବେଳକୁ ଉପନିର୍ବାଚନ କରିପାରନ୍ତି । ଆଶା କରାଯାଉଛି ସେତେବେଳକୁ କରୋନା ପ୍ରକୋପ କମିପାରେ । ଯଦି ସେପ୍ଟେମ୍ବରରେ ନିର୍ବାଚନ ଘୋଷଣା ହୁଏ ତେବେ ଓଡ଼ିଶାର ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ବିଧାୟକ ମଦନ ମୋହନ ଦତ୍ତ ଓ ବିଷ୍ଣୁ ଦାସଙ୍କ ବିୟୋଗ ପରେ ଏହି ଦୁଇଟି ଆସନ ଖାଲିପଡ଼ିଛି । ଏହି ଉପନିର୍ବାଚନରେ କିଏ ଜିତିବ ଓ କିଏ ହାରିବ ତାହା ଏବେ ଆଲୋଚନାର ବିଷୟ ନୁହେଁ, ହେଲେ ଏହାସହିତ ମନ୍ତ୍ରିମଣ୍ଡଳ ଅଦଳବଦଳର ଲିଙ୍କ ରହୁଛି । ଏଥିରେ ନେତାଙ୍କ ଦକ୍ଷତା ପରଖିବେ ନବୀନ । ଏପରି କୁହାଯିବାର କାରଣ ହେଲା ଇତିମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକମାନଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନଙ୍କୁ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କରାଯାଇଛି । ଯେଉଁମାନଙ୍କ କାର୍ଯ୍ୟ ସନ୍ତୋଷଜନକ ହେବ ସେମାନଙ୍କୁ ପୁରସ୍କାର ସ୍ୱରୂପ ମନ୍ତ୍ରୀପଦ ମିଳିପାରେ । ତାହାଛଡ଼ା ଯେଉଁମାନେ ବାଦ୍ ପଡ଼ିବା ତାଲିକାରେ ରହିଛନ୍ତି ସେମାନେ ଯଦି ଭଲ କାମ କଲେ ବର୍ତ୍ତି ଯାଇପାରନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ଆଧାର କରି ବିଜେଡି ସୁପ୍ରିମୋ ନବୀନ ଦକ୍ଷତା ମାପିବେ ବୋଲି କୁହାଯାଉଛି ।