ସିନେମା ହଲ୍ ପାଇଁ ଏସଓପି ଜାରି କଲା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ,୦୬।୧୦ : ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଆସନ୍ତା ୧୫ ତାରିଖରୁ ଖୋଲିବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଗାଇଡଲାଇନ ବା ଏସଓପି ଘୋଷଣା ହୋଇଛି। ଏହାକୁ ପାଳନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର।

ସମଗ୍ର ଦେଶରେ ଚଳିତମାସ ୧୫ ତାରିଖରୁ ସିନେମା ହଲ ଖୋଲିବ ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ଗତ ୩୦ ତାରିଖରେ ଘୋଷଣା କରିଥିଲା। ଆଉ କୁହାଯାଇଥିଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏନେଇ ଏସଓପି ଜାରି କରିବ। କିନ୍ତୁ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ। ମଙ୍ଗଳବାର ଜାରି ହୋଇଥିବା ଏସଓପି ଅନୁଯାୟୀ ସବୁ ସିନେମା ହଲ୍ ନିଜ କ୍ଷମତାର ୫୦ ପ୍ରତିଶତ ସିଟ ପୂରଣ କରିବେ। ପ୍ରତି ସିଟର ପାଖ ଦୁଇଟି ସିଟ୍ ଖାଲି ରହିବ। ଏସବୁ ସିଟରେ କେହି ବସିପାରିବେ ନାହିଁ ବୋଲି ଲେଖାଯିବ।

ସେହିପରି ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର୍ ବ୍ୟବସ୍ଥା ରହିବ। ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ। ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବା ସହିତ ହଲ୍ ଭିତରକୁ ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କାନିଂ ବା ତାପମାତ୍ରା ମପାଯିବ। ଏହାଛଡା ହଲ ଭିତରେ କେବଳ ପ୍ୟାକେଟ ଖାଦ୍ୟ ମିଳିପାରିବ ବୋଲି ଏସଓପିରେ କୁହାଯାଇଛି।