ଋଷ ଦେବ ଭାରତକୁ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ,୧୬।୦୯ : ଦେଶରେ କରୋନା ଆକ୍ରାନ୍ତଙ୍କ ବଢି ଚାଲିଛି। ଏହିଭଳି ସମୟରେ ମିଳିଛି ଖୁସି ଖବର। ଋଷିଆଠାରୁ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦ କୋଟି ଟିକା ଭାରତ କିଣିବ। ଭାରତର ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି। ଭାରତରେ ଆରମ୍ଭ ହେବ ଭାକସିନର କ୍ଲିନିକାଲ ଟ୍ରାଏଲ୍। ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର ପରୀକ୍ଷଣ କରିବେ। ତେବେ ଡିଜିସିଆଇର ଅନୁମୋଦନ ପରେ ପରୀକ୍ଷଣ ଓ ଭାକସିନ୍ ଯୋଗାଣକୁ ମଞ୍ଜୁରୀ ମିଳିବ ବୋଲି ଜଣାପଡିଛି।
ଋଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଭାକସିନ୍ ଯୋଗାଣ ନେଇ କାଜାକିସ୍ତାନ, ବ୍ରାଜିଲ୍ ଓ ମେକ୍ସିକୋ ସହ ଚୁକ୍ତି ସ୍ୱାକ୍ଷରିତ କରିସାରିଛି। ଏବେ ଭାରତ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଋଷିଆ ସର୍ବପ୍ରଥମେ କରୋନା ଭାକସିନ୍ ବାହାର କରିଥିବା ଦାବି କରୁଥିବା ବେଳେ ୪୦ ହଜାର ଲୋକଙ୍କ ଉପରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି। ଅଗଷ୍ଟ ୨୬ରୁ ଏହି ପରୀକ୍ଷଣ ଆରମ୍ଭ ହୋଇଛି।