ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଅନଲକ-୪ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ମେଟ୍ରୋ ସେବା ପାଇଁ ମିଳିଛି ଅନୁମତି। ସେପ୍ଟେମ୍ବର ୭ ତାରିଖରୁ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ। ତେବେ ଏଥିପାଇଁ ଖୁବଶୀଘ୍ର ଏସଓପି ଜାରି କରାଯିବ। ସେପ୍ଟେମ୍ବର ୩୦ ଯାଏ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ନବମ ଓ ଦ୍ୱାଦଶ ଛାତ୍ରଛାତ୍ରୀ। ଏଥିପାଇଁ ପିଲାଙ୍କୁ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ତେବେ ସ୍କୁଲ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଦରକାର। ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଆସିବେ। ପୂର୍ବଭଳି ଅନ୍ଲାଇନ୍ ପାଠପଢ଼ା ଜାରି ରହିବ। ଆଇଟିଆଇର ଓ ଅନ୍ୟ ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଟ୍ରେନିଂ ଦେବା ପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।
ସେହିପରି ଅନଲକ-୪ରେ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକ ପାଇଁ ଅନୁମତି ମିଳିଛି। ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମର ଆୟୋଜନକୁ କେନ୍ଦ୍ର ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି। ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ, ସାଂସ୍କୃତିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ଏଥିରେ ମଧ୍ୟ ୧୦୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ସେପ୍ଟେମ୍ବର ୨୧ରୁ ଏହି ନିୟମ ଲାଗୁ କରାଯିବ। ସେହିପରି ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ହାତ ଧୋଇବାକୁ ଏଥିରେ ଗୁରୁତ୍ୱ ଦିଆଯିବ।
ବାହଘର କାର୍ଯ୍ୟ ପାଇଁ ଏବେ ୫୦ ଓ ଶୁଦ୍ଧିକ୍ରୀୟାରେ ୨୦ ଜଣ ସାମିଲ ହୋଇପାରିବେ। ତେବେ ସେପ୍ଟେମ୍ବର ୨୦ ପରେ ଉଭୟ କାର୍ଯ୍ୟ ପାଇଁ ୧୦୦ ଜଣଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ। ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ମଧ୍ୟ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସୁଇମିଂ ପୋଲ ଓ ଥିଏଥର ମଧ୍ୟ ସେପ୍ଟେମ୍ବର ୩୦ ଯାଏ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର ୩୦ ଯାଏ ଲକଡାଉନ ପାଳନ କରାଯିବ।