ନୂଆଦିଲ୍ଲୀ: ଦେଶରେ ରାଜପଥ ପ୍ରକଳ୍ପରେ ଚୀନର କମ୍ପାନୀଗୁଡିକୁ ଏକକ କିମ୍ବା ମିଳିତ ଉଦ୍ୟୋଗ ଜରିଆରେ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରରେ ଚୀନର ନିବେଶକମାନେ ଯେଭଳି ପୁଞ୍ଜି ନିବେଶ କରିପାରିବେ ନାହିଁ ତାହା ସରକାର ନିଶ୍ଚିତ କରିବେ।
ସେ କହିଛନ୍ତି ଯେ ସଡ଼କ ନିର୍ମାଣ ପାଇଁ ଚାଇନାର ଅଂଶୀଦାର ଥିବା ମିଳିତ ଉଦ୍ୟୋଗକୁ ଆମେ ଅନୁମତି ଦେବୁ ନାହିଁ। ସରକାର ଚୀନ କମ୍ପାନୀଗୁଡିକୁ ଅନୁମତି ନ ଦେବା ପାଇଁ ଦୃଢ ସଂକଳ୍ପ ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ଯେଭଳି ଭାରତୀୟ କମ୍ପାନୀଗୁଡ଼ିକ ରାଜପଥ ପ୍ରକଳ୍ପଗୁଡିକରେ ଭାଗ ନେଇପାରିବେ ସେ ନେଇ କେତେକ ନିୟମ କୋହଳ କରାଯିବ। ଗଡ଼କରୀ କହିଛନ୍ତି ଯେ ଖୁବ ଶୀଘ୍ର ଚାଇନାର ସଂସ୍ଥାଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଏକ ନୀତି ପ୍ରଣୟନ କରାଯିବ।