ବିବାହ ଭୋଜି ଆୟୋଜନ ମହଙ୍ଗା ପଡିଲା :କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ୨୦ ହଜାର ଟଙ୍କା ଜରିମାନା ଆଦାୟ

ବାଲିଗୁଡା,୨୭/୫(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପଞ୍ଚାୟତ ବଡ଼ିପଦର ଗାହାଡାଡି ସାହିରେ ଏକ ବିବାହ ଭୋଜିକୁ ପ୍ରଶାସନ ପକ୍ଷରୁ ଗୁରୁବାର ବନ୍ଦ କରାଯାଇଛି । କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଆୟୋଜକଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଭୋଜି ଆୟୋଜକ କିରଣ କୁମାର ପ୍ରଧାନ ବୁଧବାର ୨୦ ରୁ ୨୫ ଜଣଙ୍କୁ ବିବାହ ଉତ୍ସବକୁ ଡାକିବେ ବୋଲି ପୋଲିସ ଠାରୁ ଅନୁମତି ନେଇଥିଲେ । ବିବାହ ପରେ ଗୁରୁବାର ସେ ଘର ନିକଟରେ ମାତ୍ର ୨୦ ରୁ ୨୫ ଜଣଙ୍କ ପାଇଁ ଭୋଜିର ବ୍ୟବସ୍ଥା କରି ଘର ଠାରୁ ପ୍ରାୟ ଅଧ କିଲୋମିଟର ଦୂରରେ ୨ ହଜାର ଲୋକଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ଏକ୍‌ଜିକ୍ୟୁଟିଭ ମାଜିଷ୍ଟେଟ ତଥା ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ପୋଲିସ କର୍ମଚାରୀଙ୍କ ସହ ଚଢ଼ାଉ କରି ଭୋଜି ବନ୍ଦ କରିଥିଲେ।