ବ୍ରହ୍ମପୁର,୧୩।୦୯: ଚିଟଫଣ୍ଡ ସଂସ୍ଥା ଗ୍ରିନ୍ ଇଣ୍ଡିଆ ମୁଖ୍ୟ ପ୍ରଦୀପ ସିଂଙ୍କୁ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚିଟଫଣ୍ଡ କୋର୍ଟରେ ତାଙ୍କୁ ହାଜର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଟାଉନ୍ ଥାନା ଅଞ୍ଚଳର ଅନେକ ଜମାକାରୀ ଙ୍କ ଟଙ୍କା ଠକେଇ ଅଭିଯୋଗରେ ସେ ୨୦୧୪ ରେ ଗିରଫ ହୋଇଥିଲେ । ପରେ ସେ ଜାମିନରେ ଆସିଥିଲେ। ପ୍ରଦୀପଙ୍କ ନାମରେ ଥିବା ଏକ ମାମଲା ସମ୍ପର୍କରେ ଜେରା ପାଇଁ ଟାଉନ୍ ଥାନା ପୁଲିସ ଗତକାଲି ପ୍ରଦୀପଙ୍କୁ ଅଟକ ରଖିଥିଲା। ଆଜି ଏହି ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଗ୍ରିନ୍ ଇଣ୍ଡିଆ ଚିଟଫଣ୍ଡ ନାଁରେ ୨୦୦୯-୧୦ରେ ଏକ କମ୍ପାନି ଖୋଲିଥିଲା। ଲୋକଙ୍କୁ ଅଧିକ ହାରରେ ସୂଧ ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟ କରି ହଠାତ୍ କମ୍ପାନି ବନ୍ଦ ହୋଇଯାଇଥିଲା। ଗତକାଲି ଟାଉନ୍ ଥାନା ପୁଲିସ ପ୍ରଦୀପଙ୍କୁ ତାଙ୍କ ଘର ନିକଟରୁ ଉଠାଇ ଆଣି ତାଙ୍କ ନାମରେ ଥିବା ମାମଲା ସମ୍ପର୍କରେ ପଚରା ଉଚରା କରିଥିଲା। ଆଜି କେସ୍ ନମ୍ବର ୯୮/୧୬ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି ।