ବାଣପୁରରେ କରୋନା ମୁକାବିଲା ବିଫଳ : ତାତିଲେ ଜନତା

ବାଣପୁର ୨୩ / ୦୭ :ବାଣପୁର ଅଞ୍ଚଳରେ କରୋନାର ଗୋଷ୍ଠୀ ସଂକ୍ରମଣର ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନର ବିଫଳତା ଆଜି ଜଳ ଜଳ ହୋଇ ଦିଶୁଅଛି । ଗତ ସପ୍ତାହେ ମଧ୍ୟରେ ତିରିଶିରୁ ଅଧିକ ଆକ୍ରାନ୍ତ ବାଣପୁର-ବାଲୁଗାଁ ଅଞ୍ଚଳରେ ଚିହ୍ନଟ ହୋଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବାବେଳେ ଗତ ଦୁଇ ଦିନରେ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର, କଣ୍ଟେନମେଣ୍ଟ ଅଞ୍ଚଳରେ ବିଶୋଧନ, ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ସ୍ବାବ ଟେଷ୍ଟଭଳି ସମ୍ବେଦନଶୀଳ ଘଟଣାରେ ପ୍ରଶାସନିକ ବିଫଳତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଆଜି ବାଣପୁର ଅଞ୍ଚଳର ବୁଦ୍ଧିଜୀବୀ, ମହିଳା ସଂଗଠନ, ସାମାଜିକ କର୍ମୀ ଓ ଗଣମାଧ୍ୟମ ଏ ସମ୍ବନ୍ଧେ ଉପଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ ସମୟରେ ବାଣପୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦଶ ଦଫା ସମ୍ବଳିତ ଦାବୀ ଉପସ୍ଥାପନ କରିଥିଲେ ।

ଘଟଣାକ୍ରମରେ ଗତ କୋଡିଏ ତାରିଖରେ ବାଣପୁର ଉପକାରାଗାରରୁ ଚାରି ଜଣ ବିଚାରାଧୀନ କଏଦୀଙ୍କ ସ୍ବାବ ଟେଷ୍ଟ ପଜେଟିଭ ଆସିଵା ସହ ଆଉ ତିନି ଜଣ ଆକ୍ରାନ୍ତ ହୋଇଥିଲେ । ଏକୋଇଶ ତାରିଖରେ ଜଣେ ବାଣପୁର ଥାନାର ହୋମଗାର୍ଡ ଓ କୃତିବାସ ଭବନର ସଙ୍ଗରୋଧ କେନ୍ଦ୍ରରୁ ଜଣେ ପ୍ରବାସୀ ଆକ୍ରାନ୍ତ ଚିହ୍ନଟ ହୋଇ ଚିନ୍ତା ବଢେଇଥିଲେ । କିନ୍ତୁ ବାଣପୁର ସ୍ବାବ ସଂଗ୍ରହ କେନ୍ଦ୍ରର ଜଣେ ସଫେଇ କର୍ମଚାରୀ ଜ୍ଵରରେ ଆକ୍ରାନ୍ତ ହେବାପରେ ତାଙ୍କର ଟେଷ୍ଟ କରିବାରେ ସେ ପଜେଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଜେଲ କର୍ତ୍ତୁପକ୍ଷଙ୍କ ଚାପରେ ଚାରି ଜଣ କଏଦୀଙ୍କୁ ହସ୍ପିଟାଲ ତରଫରୁ ଛତାବର କୋଭିଡ କେନ୍ଦ୍ରକୁ ପଠାହେବାରେ ସୁରକ୍ଷାର ଆଳ ଦେଖାଇ ସେଠାରେ ଭର୍ତ୍ତି କରାଗଲାନାହିଁ । ତେଣୁ ଗାଡିର ଅଭାବ ହେତୁ ବାକି ତିନିଜଣଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାନହେବାରୁ ଅଞ୍ଚଳରେ ଉତ୍ତେଜନା ବଢିଥିଲା । ଏହାକୁ ନେଇ ଜିଲ୍ଲା କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ବିଳମ୍ବିତ ରାତିରେ ଏନଏସିରୁ ତିନି ଜଣଙ୍କ ସହ ପଞ୍ଚାୟତର ଦୁଇଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏଭଳି ପ୍ରଶାସନର ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା ।

ଆଜି ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ବାଣପୁର ଗସ୍ତରେ ଆସି ତହସିଲଦାର ମନ୍ମଥ ବେହେରା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନିହାଲଙ୍କ ଉପସ୍ଥିତିରେ ଅନ୍ୟ ଅଧିକାରୀଙ୍କ ସହ କରୋନା ପରିଚାଳନା ସମୀକ୍ଷା କରିବା ସମୟରେ ବାଣପୁରର ସାମାଜିକ କର୍ମୀ, ମହିଳା ସଂଗଠନ ଓ ଗଣମାଧ୍ୟମର କର୍ମକର୍ତା ସମସ୍ତେ ଉପସ୍ଥିତ ହୋଇ ଏହି ସବୁ ଅବ୍ୟବସ୍ଥା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ବିଗତ ଦିନରେ ଡାକ୍ତରଖାନାରେ ମୁଖ୍ୟ ଅଧିକାରୀ ଅନୁପସ୍ଥିତ ରହିବା , କଣ୍ଟାକ୍ଟ ଟ୍ରେସିଂ ଠିକରେ ନହେବା, କଣ୍ଟେନମେଣ୍ଟ ଜୋନ ନବନିପାରିବା, କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରରେ ବିଳମ୍ବ ଭଳି ମୁଦ୍ଧା ଉପସ୍ଥାପନ କରିଥିଲେ । ପୋଲିସ ବିଭାଗର ନିଷ୍କ୍ରିୟତା ହେତୁ ଦେଶୀମଦର ମାତ୍ରାଧିକ ବେପାରକୁ ନେଇ ମହିଳାମାନେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ଏହି ସବୁ ଦାବୀ ଉପରେ କଡା କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ଦେବା ସହ କିଭଳି ପ୍ରକ୍ରିୟାକୁ ତ୍ୱରାନିତ କରାଯିବ ତାହା ସମୀକ୍ଷା ବୈଠକରେ ଚର୍ଚ୍ଚା କରିଥିଲେ । ଏହି ଚର୍ଚାରେ କୋଭିଡ କଟକଣାକୁ ନଜର ଦେଇ  ଯୁବ ସମାଜସେବୀ ଲଲାଟେନ୍ଦୁ ଶତପଥୀ, ସାଂସଦ ପ୍ରତିନିଧି ଅଶ୍ଵିନୀ କୁମାର ଷଡଙ୍ଗୀ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂ , ସୂଚନାଧିକାର କର୍ମୀ ଲକ୍ଷ୍ମୀଧର ମହାପାତ୍ର ,ଚିଲିକା ରିପୋର୍ଟର ଆସୋସିଏସନର କର୍ମକର୍ତାବୃନ୍ଦ, ଇଂ ଶେଷଦେବ ବରାଳ , ରାଜ କିଶୋର ସାହୁ , ମହିଳା ମଞ୍ଚ ସଭାନେତ୍ରୀ ରୀନା ଶ୍ରୀଚନ୍ଦନ , କୋଷାଧ୍ୟକ୍ଷା  ସୁପ୍ରଭା ସାସମଲ, ପ୍ରଭାସ ହୋତାଙ୍କ ସହ ସମସ୍ତ ପ୍ରମୁଖ ଗଣମାଧ୍ୟମର କର୍ମକର୍ତା ଭାଗ ନେଇଥିଲେ । ଆଗାମୀ ଦିନରେ ଏସବୁ ବିଷୟ ଉପରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସମଗ୍ର ଜନସାଧାରଣଙ୍କ ତରଫରୁ ଆନ୍ଦୋଳନର କଡା ଚେତାବନୀ ଦିଆଗଲା । ସାମାଜିକ କର୍ମୀ ଲଲାଟେନ୍ଦୁ ଶତପଥୀ ଅଞ୍ଚଳର ସମସ୍ତ ଜନତାଙ୍କ ଏତାଦୃଶ କାର୍ଯ୍ୟରେ ସହଯୋଗ ହେତୁ ସାଧୁବାଦ ଜଣେଇଥିଲେ ।