ଗୁଣପୁର ରକ୍ତଭଣ୍ଡାର ର ମରାମତି କେବେ ; ଡୋନର ଗୃହରୁ ଗଳୁଛି ପାଣି ଏବଂ ୩ ମାସ ହେଲା ଫ୍ରିଜ୍ ଅଚଳ ଗଚ୍ଛିତ ହୋଇପାରୁନି ସଂଗୃହିତ ରକ୍ତ , ଏ-ପଜିଟିଭ୍ ରକ୍ତର ଘୋର ଅଭାବ |

ଗୁଣପୁର – (ସିଦ୍ଧାର୍ଥ ଦାଶ) : କର୍ମଚାରୀ ଅଭାବ। ଫ୍ରିଜ୍ ଓ ଏସି ଅଚଳ। ଛାତରୁ ଗଳୁଛି ପାଣି । ରକ୍ତ ଗଚ୍ଛିତ ରଖିବାକୁ ଆବଶ୍ୟକ ସୁବିଧା ନଥିବାରୁ ନିୟମିତ କରାଯାଇପାରୁନି ଶିବିର। ବର୍ଷ ତମାମ ଆବଶ୍ୟକ ତୁଳନାରେ ଏ-ପଜିଟିଭ୍ ରକ୍ତ ଅଭାବ ରହୁଛି । ରକ୍ତଦାତା ଯୋଗାଡ କରି ରୋଗୀମାନେ ଆବଶ୍ୟକତା ପୂରଣ କରୁଛନ୍ତି। ସମସ୍ୟା ବୁଝିବାକୁ କେହି ନାହାନ୍ତି। ଦାୟିତ୍ଵରେ ଥିବା ଡାକ୍ତରଙ୍କ ଉପରେ ରହିଛି ଅତିରିକ୍ତ ଦାୟିତ୍ଵର ଚାପ। ଏଥିଲାଗି ରକ୍ତଭଣ୍ଡାର ରେ ତାଙ୍କ ଦେଖା ମିଳୁନି । ପରିଚାଳନା କମିଟିର ନିୟମିତ ବୈଠକ ବସୁ ନଥିବା ଅଭିଯୋଗ ହେଉଛି । ଏଭଳି ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାର।

୨୦୧୨ ମେ ମାସରେ ଉଦଘାଟିତ ହୋଇଥିଲା ଏହି ରକ୍ତ ଭଣ୍ଡାର । ଦଶବର୍ଷ ପରେ ଛାତ ନଷ୍ଟ ହୋଇଗଲାଣି। ଛାତଗୁଡିକ ଫାଟି କଂକ୍ରିଟ୍ ଛାଡି ଲୁହାରଡ୍ ଦେଖାଗଲାଣି। ବର୍ଷା ହେଲେପାଣି ଗଳୁଛି। ଏଭଳି ଅବସ୍ଥା ହେଉଛି ଡୋନର୍ ରୁମ୍ ର। ଡୋନର୍ ରେଷ୍ଟ ରୁମ୍‌ରେ ବହୁଦିନ ହେଲା ଏସି ଖରାପ ହୋଇପଡିଛି । ବର୍ଷା ହେଲେ ଚାରିଆଡେ ସକ୍ ମାରୁଛି । କେଉଁଠି ଫ୍ୟାନ୍ ଘୁରୁନି ତ କେଉଁଠି ଲାଇଟ୍ ଲାଗୁନି। ବିପଦ ସଙ୍କୁଳ ଅବସ୍ଥାରେ ମାତ୍ର ଦୁଇଜଣ ଏଲଟି କର୍ମଚାରୀଙ୍କ ଦ୍ବାରା ଚାଲିଛି ଏହି ରକ୍ତ ଭଣ୍ଡାର । ଜଣେ ଡାକ୍ତର ଏହାର ଦାୟିତ୍ଵରେ ଥିଲେ ବି ତାଙ୍କୁ ଡାକ୍ତରଖାନାର ଆଉଟଡୋର ଡ୍ୟୁଟି ଦିଆଯାଉଛି। ଏଥିଯୋଗୁ ସେ ରକ୍ତଭଣ୍ଡାର ଦାୟିତ୍ଵ ଠିକ୍‌ରେ ତୁଲାଇ ପାରୁନାହାନ୍ତି। ରକ୍ତଦାନ ଶିବିରରେ ବି ସେ ଅନୁପସ୍ଥିତ ରହୁଛନ୍ତି। ଏଠି ୧୫୦ ୟୁନିଟ ରକ୍ତ ସଂଗ୍ରହ କରି ଗଚ୍ଛିତ ରଖିବାର ସୁବିଧା ରହିଛି। ଅଥଚ ୪ ମାସ ହେଲା ଫ୍ରିଜ୍ ଖରାପ ଯୋଗୁ ସଂଗୃହିତ ରକ୍ତ ରଖିବା କଷ୍ଟକର ହୋଇପଡିଛି। ଘରେ ବ୍ୟବହାର ହେଉଥିବା ଦୁଇଟି ସାଧାରଣ ଫ୍ରିଜ୍‌ରେ ମାଡିମୋକଚି ୫୦ରୁ ୧୦୦ ୟୁନିଟ୍ ଯାଏଁ ରକ୍ତ ରଖାଯାଉଛି। ତାଠାରୁ ଅଧିକ ରକ୍ତ ସଂଗ୍ରହ କରାଯାଉନି। ଏମିତିକି ଅଧିକ ରକ୍ତଦାତା ଆସିଲେ ଫେରାଇ ଦିଆଯାଉଛି । ରୋଗୀଙ୍କୁ ରକ୍ତ ଦରକାର ପଡ଼ିଲେ ଜଣେ ଡୋନର ଯୋଗାଡ କରି ଗଲେ ରକ୍ତ ମିଳୁଛି । ଏହି ରକ୍ତଭଣ୍ଡାର ଏବେ କେବଳ ରକ୍ତ ସଂଗ୍ରହକାରୀ ସଂସ୍ଥା ହୋଇଯାଇଛି। ବର୍ଷକୁ ଏଠାରେ ୧୮୦୦ରୁ ୨୦୦୦ ୟୁନିଟ୍ ପର୍ଯ୍ୟନ୍ତ ରକ୍ତ ଆବଶ୍ୟକ ହେଉଥିବା ବେଳେ ମାତ୍ର ୧୦୦୦ରୁ ୧୨୦୦ ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। ଯାହାଫଳରେ ସବୁବେଳେ ଅଭାବ ରହୁଛି । ବିଶେଷ କରି ଏ ପଜିଟିଭ୍ ଗ୍ରୁପ ରକ୍ତର ଅଧିକ ଆବଶ୍ୟକତା ଥିବା ବେଳେ ତାହା ହିଁ କମ୍ ରହୁଛି। ଏଣୁ ବିନା ଡୋନରରେ ରୋଗୀକୁ ଏହି ଗ୍ରୁପର ରକ୍ତ ମିଳିବା ସମ୍ଭବ ହେଉନି। ଏତେ ବଡ ରକ୍ତଭଣ୍ଡାର ରେ ମାତ୍ର ଦୁଇଟି ବିପି ମେସିନ୍ ରହିଛି। ରକ୍ତଦାନ ଶିବିରରେ ଦୁଇଟି ମେସିନ୍‌ରେ କାମ ଚଳାଇବା କଷ୍ଟକର ହେଉଛି। ରକ୍ତଭଣ୍ଡାର ପରିଚାଳନା ପାଇଁ କମିଟି ରହିଥିଲେ ବି ବର୍ଷାଧିକ କାଳଧରି ବୈଠକ ବସୁନି। ସୋସାଇଟିରେ ଲକ୍ଷାଧିକ ଟଙ୍କା ରହିଛି। ପରିତାପର ବିଷୟ , ରକ୍ତଭଣ୍ଡାର ର ରକ୍ଷଣାବେକ୍ଷଣ କିମ୍ବା ଆନୁସଙ୍ଗିକ ସୁବିଧା ପାଇଁ ଟଙ୍କା ଖର୍ଚ୍ଚ କରାଯାଉନି। ରକ୍ତଭଣ୍ଡାର ଦାୟିତ୍ବରେ ଥିବା ଡାକ୍ତର ସୁଜାତା ଦେବୀଙ୍କୁ ପଚାରିବାରୁ କହିଛନ୍ତି, ସମସ୍ୟା ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡ ଙ୍କୁ ଅବଗତ କରାଯାଇଛି। ମରାମତି ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ମତ ଦେଇଥିଲେ ।