କନ୍ଧମାଳ:୩୦/୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା କମିଟି ବୈଠକ ଫୁଲବାଣୀ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାପାଳ ତା. ବୃନ୍ଦା ଡି. ଅଧ୍ୟକ୍ଷତା କରି କହିଥିଲେଯେ, ଏହି ଜିଲ୍ଲା ଏକ କଳ କାରଖାନା ନ ଥିବା ଆଦିବାସୀ ବହୁଳ ଜିଲ୍ଲା। ଏହାର ଅଧିବାସୀମାନେ ଜଙ୍ଗଲ ଜାତ ଦ୍ରବ୍ୟ ଓ କୃଷି ଉପରେ ନିର୍ଭର କରି ଚଳନ୍ତି । ଜିଲ୍ଲା ପ୍ରଶାସନ ବିଶେଷ କରି ବ୍ୟାଙ୍କ ସମୂହର ସହଯୋଗରେ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ହୋଇପାରିବ ବୋଲି ଜିଲ୍ଲାପାଳ କହିଥିଲେ । ସିସି ଟିଭି ଗୁଡ଼ିକୁ ସବୁବେଳେ ଚାଲୁରହିବା ଆବଶ୍ୟକ । ଏହା ଦ୍ବାରା କ୍ରାଇମକୁ ରୋକା ଯାଇପାରିବ ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନୀତ୍ ଅଗ୍ରୱାଲ କହିବା ସହିତ ଘରୋଇ ସିକୁରିଟି ଗାର୍ଡ଼ମାନେ ଏ.ଟି.ଏମ୍. କାଉଣ୍ଟର ମାନଙ୍କରେ ସବୁବେଳେ ଜଗିବା ଆବଶ୍ୟକ ବୋଲି କହିଥିଲେ । ତେବେ ଆଇ.ଆଇ.ସି.ମାନଙ୍କ ଫୋନ୍ ନମ୍ବର ସହିତ ଏ.ଟି.ଏମ୍. କାଉଣ୍ଟରଗୁଡ଼ିକ ଲିଙ୍କ ଥିବାରୁ ନିକଟରେ ଏକ ଲୁଟ୍ କୁ ରୋକା ଯାଇପାରିଥିଲା ବୋଲି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ବ୍ୟାଙ୍କ ଗୁଡ଼ିକର ନିରାପତ୍ତା ସମ୍ପର୍କରେ ଆଲୋଚନା ବେଳେ କହିଲେଯେ, ବ୍ୟାଙ୍କରେ ଲଗାଯାଇଥିବା ସି.ସି. ଟିଭି ଗୁଡ଼ିକର ଉନ୍ନତିକରଣ ଆବଶ୍ୟକ । ଏ.ଟି.ଏମ୍. କାଉଣ୍ଟରରୁ ଫୁଟେଜ୍ କିପରି ଶିଘ୍ର ମିଳିପାରିବ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ବେଳେ ବେଳେ ଦେଖାଯାଉଛି କିଛି ଲୋକ ନିଜର କିଛି କାମ ନ ଥାଇ ବ୍ୟାଙ୍କ ଭିତରେ ବୁଲି ଅନ୍ୟମାନଙ୍କୁ ଲକ୍ଷ୍ୟ କରୁଥାନ୍ତି । ସେମାନଙ୍କ ମଧ୍ୟରୁ କେହି ଟଙ୍କା ଉଠାଇ ବାହାରକୁ ବାହାରିବା ଲୋକକୁ ଚୋରି ଉଦ୍ଦେଶ୍ୟରେ ଅନୁଧାବନ କରିଥାନ୍ତି। ସେହିଭଳି ସନ୍ଦେହଜନକ ଲୋକ ସମ୍ପର୍କରେ ନିକଟସ୍ଥ ପୋଲିସ୍ ଷ୍ଟେସନକୁ ଜଣାଇବାକୁ ସେ ବ୍ୟାଙ୍କ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏ.ଟି.ଏମ୍. ଗୁଡ଼ିକର ନିରାପଲ୍ଲା ପାଇଁ ପୋଲିସ୍ ନିୟୋଜନ କରାଯିବ । ସେଥ୍ପାଇଁ ଜିଲ୍ଲାରେ ଥିବା ଏ.ଟି.ଏମ୍.ଗୁଡ଼ିକର ସମସ୍ତ ବିବରଣୀ ପ୍ରଦାନ କରିବାକୁ ଶ୍ରୀ ଅଗ୍ରୱାଲ କହିଥିଲେ । ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଶ୍ରୀ କଳ୍ପତରୁ ୱାଇଁଙ୍କ ଆଲୋଚନାରୁ ପ୍ରକାଶ ଯେ, ଜିଲ୍ଲାର ବ୍ୟାଙ୍କ ସମୁହ ସେପ୍ଟେମ୍ବର ଶେଷ ସୁଦ୍ଧା ୪,୧୮୯ କୋଟି ୩୮ ଲକ୍ଷ ଟଙ୍କାର କାରବାର କରିଛନ୍ତି । ବ୍ୟାଙ୍କ ସମୁହ ଦ୍ଵାରା କୃଷି ଅଗ୍ରୀମ ଆକାରରେ ୬୪୧ କୋଟି ୯୩ ଲକ୍ଷ ଟଙ୍କା, ଲଘୁ ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୩୯୦ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି, ପ୍ରଦାନ କରାଯାଇଥିବା ମୋଟ ଅଗ୍ରୀମ ମଧ୍ୟରୁ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ୨୦୨ କୋଟି ୯୮ ଲକ୍ଷ ଟଙ୍କା, ମହିଳା ମାନଙ୍କୁ ୩୨୮ କୋଟି ୬୩ ଲକ୍ଷ ଟଙ୍କା, ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ୭୮ କୋଟି ୯୨ ଲକ୍ଷ ଟଙ୍କା, ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ୫୧୨ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ, ଏ.ପି.ଡି.(କ୍ରେଡିଟ୍), ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମିଶନ ଶକ୍ତି ସଂଯୋଜକ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଫୁଲବାଣୀ ଶାଖାର ପରିଚାଳକ ଶ୍ରୀ ବିଷ୍ଣୁମୋହନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ସମୀକ୍ଷା ବୈଠକରେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱରଞ୍ଜନ ନାୟକ ,ଭାରତୀୟ ରିଜର୍ଭ ବ୍ୟାଙ୍କର ଅଗ୍ରଣୀ ଜିଲ୍ଲା ଅଧିକାରୀ ଶ୍ରୀ ଏସ୍. କେ. ପଟ୍ଟନାୟକ, ନାବାର୍ଡ଼ର ଜିଲ୍ଲା ଉନ୍ନୟନ ପରିଚାଳକ ଶ୍ରୀ ଏସ୍.କେ.ମହାନ୍ତି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଶ୍ରୀ ହୃଦୟ ରଞ୍ଜନ ଦାସଙ୍କ ସମେତ ସଂପୃକ୍ତ ବିଭାଗୀୟ ସରକାରୀ ପଦାଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ଶାଖା ପରିଚାଳକମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।