ଗୁଣୁପୁର,୨୫/୧୧(ସିଦ୍ଧାର୍ଥ ଦାଶ):ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିବା ପରେ ରାୟଗଡା ଜିଲ୍ଲା ରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଶାସକ ଦଳ ପକ୍ଷରୁ ବହୁ ଆଡମ୍ବର ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଡ ସହାୟତାରେ ଚିକିତ୍ସା ଜନିତ କିଛି ସୁବିଧା ପାଇବା ଆଶାରେ ବଣ୍ଟନ ସ୍ଥଳରେ ଜନତା ଙ୍କ ନାହିଁ ନଥିବା ଭିଡ଼ ଜମୁଛି । ପରନ୍ତୁ ସ୍ଥାନୀୟ ପ୍ରଶାସନର ଅବ୍ୟବସ୍ଥା ଯୋଗୁଁ ଦିନତମାମ ଅପେକ୍ଷା କରି ଲୋକେ ହନ୍ତସନ୍ତ ହୋଇ ଫେରୁଥିବା ଦେଖିବାକୁ ମିଳୁଛି ।
ବଣ୍ଟନ ପୂର୍ବରୁ ଏନେଇ ସେଭଳି କିଛି ଖସଡ଼ା ପ୍ରସ୍ତୁତ କରାଯାଇ ନଥିବା କିମ୍ବା ସୁଚନା ପ୍ରଦାନ କରାଯାଇ ନଥିବା ଅଭିଯୋଗ ଉଠୁଛି । ଯଦ୍ୱାରା ବୟଯେଷ୍ଠ ହିତାଧିକାରୀ ବଣ୍ଟନ ସ୍ଥଳ କୁ ଅଟୋ ଭଡ଼ା କରି ଆସି ଦିନ ତମାମ ଅପେକ୍ଷା କରିବା ପରେ ମଧ୍ୟ କାର୍ଡ ପାଇନପାରି ଫେରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବିରୋଧୀ ଗୋଷ୍ଠୀ ଏହା ଏକ ଧୂଆଁବାଣ ; କେବଳ ଆଗାମୀ ନିର୍ବାଚନ ବୈତରଣୀ ପାର ର ରାଜନୈତିକ ଚାଲ ବୋଲି ମତବ୍ୟକ୍ତ କରିଛନ୍ତି ।
ବିଶ୍ବ ସମ୍ପୁର୍ଣ୍ଣ ଭାବେ କରୋନା ମୁକ୍ତ ହୋଇନଥିବା ସତ୍ୱେ ସ୍ମାର୍ଟ କାର୍ଡ ପ୍ରଦାନ ବେଳେ ସ୍ଥାନୀୟ ପ୍ରଶାସନ କିଭଳି ସାମାଜିକ ଦୂରତା ଓ କଟକଣା କୁ ବଜାୟ ରଖିବା ବିଷୟ ଭୁଲିଗଲେ ବୋଲି ପ୍ରଶ୍ନ ଉଠିଛି । ଏକ ସ୍ଥାନ ରେ ଏଭଳି ଜନ ସମାଗମ କରାନଯାଇ ପ୍ରତି ୱାର୍ଡ ର ପାଇବାକୁ ଥିବା ହିତାଧିକାରୀ ମାନଙ୍କୁ ନିଜ ୱାର୍ଡ ରେ ଥିବା ଗୋଷ୍ଠି କେନ୍ଦ୍ର ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସ୍ମାର୍ଟ କାର୍ଡ ବଣ୍ଟନ ର ବ୍ୟବସ୍ଥା କରାଗଲେ ହିତାଧିକାରୀ ସୁବିଧା ରେ ଖର୍ଚ୍ଚାନ୍ତ ନହୋଇ ଏହା ଉପଲବ୍ଧ କରିବା ର ସୁଯୋଗ ପାଇବା ସହ କରୋନା ସଂକ୍ରମଣ ଭୟ ରୁ ମୁକ୍ତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।