ଟାଙ୍ଗୀ:-୨୧/୧୦(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଏବଂ ଟାଙ୍ଗୀ ବନଖଣ୍ଡ ଅଧିନସ୍ଥ ଜାତୀୟ ରାଜପଥ ୧୬ ଅନ୍ତର୍ଗତ ବଡ଼ପାରୀ ବାଇପାସ ରାସ୍ତାରେ ଦୁଇଟି ଦନ୍ତାହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛନ୍ତି।ଏହା ନୂଆ ଘଟଣା ନୁହେଁ ଏହା ପୂର୍ବରୁ ରତ୍ନମାଳୀ ପୀଠ,କାଳୁପଡ଼ା ଘାଟ ର କିଛି ଗ୍ରାମ,ମଙ୍ଗଳାଯୋଡି ଏପରିକି ଉଗ୍ରତାରା ପୀଠ ଭୂଷଣ୍ଢପୁର ରାଜରାସ୍ତା ରେ ଦିନକୁ ଦିନ ବଣୁଆ ଦନ୍ତାହାତୀ ପଲଙ୍କର ଆତଙ୍କ ସୃଷ୍ଟି ହୋଇଛି।ଏହା ଦିନେ ନୁହେଁ ସବୁଦିନ ଏହିଭଳି ହାତୀ ଆତଙ୍କ ସୃଷ୍ଟି ହୋଇଛି।କେଉଁଠି ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କଲେଣି ତ କେଉଁଠି ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ସେହିପରି ଭାବରେ ଜଙ୍ଗଲ ଧ୍ୱଂସ ହେବାରୁ ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀ ପଲ ଜନବସତି ମୁହାଁ ହୋଇଛନ୍ତି।ବର୍ତ୍ତମାନ ଧାନ ଫସଲ ଆଦାୟ ହେବାକୁ ବସୁଥିବା ବେଳେ ଏକର ଏକର ଚାଷଜମିକୁ ଦଳି ଚକଟି ଧ୍ୱଂସ କରୁଛନ୍ତି ଏବଂ କିଛି ସ୍ଥାନରେ ମଧ୍ୟ ଧାନ ଫସଲ ଖାଇଦେଉଛନ୍ତି।ବର୍ଷକର ରୋଜଗାର ପାଇଁ ଚାଷୀ ଟିଏ ଅକ୍ଲାନ୍ତ ପରିଶ୍ରମ କରି ବର୍ଷ ଶେଷକୁ ଫସଲ ଆଦାୟ ପାଇଁ ଅନେଇ ରହିଥିବା ବେଳେ ହାତୀ ମାନଙ୍କର ଆତଙ୍କ ଚାଷୀ ମାନଙ୍କ ନିଦ ହଜେଇ ଦେଇଛି।ଫସଲ କ୍ଷତି ହେଲେବି ଚାଷୀକୁ ତାର କ୍ଷତି ପୂରଣ ସରକାର କି ସରକାରୀ ବାବୁ ଦେଉନହାନ୍ତି।ସରକାର ଙ୍କର ଉଦାସୀନତା ମନୋଭାବ ଯୋଗୁଁ ପ୍ରତିବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଲକ୍ଷ ଲକ୍ଷ ଟଙ୍କାର ଧାନ ଫସଲ ହାନି ହେଉଛି।ହାତୀପଲ ଜଙ୍ଗଲ ମଧ୍ୟରୁ ଜନବସତି ମୁହାଁ ନହେବା ପାଇଁ ସରକାର ବିଭିନ୍ନ ସ୍ଥାନରେ ହାତୀମାନଙ୍କ ପାଇଁ କରିଡର କରିବା ଏବଂ ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ନେଇଥିଲେ ବି ଏହା ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ରେ ଏକ ଦିବା ସ୍ୱପ୍ନ ପାଲଟିଛି।ତୁରନ୍ତ ଏଥିପ୍ରତି ସରକାର ସତର୍କତା ମୂଳକ ପଦକ୍ଷେପ ନନେଲେ ଆଗକୁ ଅଧିକ କ୍ଷତି ହେବାର ଜଣାପଡୁଛି।ତୁରନ୍ତ ଏଥିପ୍ରତି ସରକାର ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିବାସୀ ମାନେ ଦାବି କରିଛନ୍ତି।