ମା’ ଭଗବତୀ ପୀଠ ଠାରୁ ଏହି ଅଞ୍ଚଳ ପର୍ଯ୍ୟନ୍ତ ଆଜିଠୁ ୧୪୪ ଧାରା

ବାଣପୁର: ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଆଜିଠାରୁ ଖୋର୍ଦ୍ଧା ବାଣପୁରର ମା’ ଭଗବତୀଙ୍କ ପୀଠରେ ଲାଗୁ ହେବ ୧୪୪ ଧାରା। ଆଜି ସଂଧ୍ୟାରୁ ଲାଗୁ ହେବ  ଏହି କଟକଣା।

ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଚାଲିଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।ଯାହାଫଳରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ବାଣପୁର କଲେଜ ଛକ ଠାରୁ ଭଗବତୀ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟା ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ କଟକଣା ବଳବତ୍ତର ରହିବ। ଏହି ସମୟରେ ବାଣପୁର କଲେଜ ଛକ ଠାରୁ ମା’ ଭଗବତୀ ମନ୍ଦିର ପର୍ଯ୍ୟନ୍ତ କୌଣସି ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିଭଳି ୧୪୪ ଧାରା ଲାଗୁ ହୋଇଥିବା ଅଞ୍ଚଳରେ ୨ ରୁ ଉର୍ଦ୍ଧ୍ଵ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇପାରିବେ ନାହିଁ।

ସୂଚନାଯୋଗ୍ୟ, ଅକ୍ଟୋବର ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଥିଲେ, ଧାର୍ମିକ ସମାରୋହ ପାଳନରେ କଟକଣା ରହିନଥିବାରୁ ଲୋକ ଏକଜୁଟ ହେଉଛନ୍ତି ଓ ତାହା ଦେଶର କେତେକ ସ୍ଥାନରେ ସଂକ୍ରମଣ ହାରକୁ ବୃଦ୍ଧି କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଚଳିତ ପୂଜା ଓ ପାର୍ବଣରେ କିଛି କଟକଣା ଜାରି କରାଯାଇଛି। ରାଜ୍ୟ ସରକାର ନଭେମ୍ବର ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ନୂଆ କୋଭିଡ୍ କଟକଣା ଜାରି କରିଛନ୍ତି।