ଗୁଣପୁର,୨୩।୦୬, (ସିଦ୍ଧାର୍ଥ ଦାଶ) ଦେବସ୍ନାନ ପୂଜା ନିମନ୍ତେ ହେବାକୁ ଥିବା ଜନସମାବେଶ କୁ ରୋକିବା ନିମନ୍ତେ ଜୁନ ୨୩ ତାରିଖ ରାତ୍ର ୧୦ ଘଣ୍ଟା ଠାରୁ ଜୁନ ୨୫ ତାରିଖ ସକାଳ ୨ ଘଣ୍ଟା ପର୍ଯ୍ୟନ୍ତ ପୁରୀରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମଣର ଲହରକୁ ଏଡ଼ାଇବା ନିମନ୍ତେ ରାଜ୍ୟର ଦେବାଦେବୀ ମନ୍ଦିର ଗୁଡିକରେ ପୂଜକଙ୍କ ସହଯୋଗରେ କେବଳ ନୀତିକାନ୍ତି ଚାଲୁ ରହି ଭକ୍ତଙ୍କ ସକାଶେ ଦର୍ଶନ ବନ୍ଦ ରହିବା ନୁମନ୍ତେ ନିୟମ ସମୂହ ଜାରି ହୋଇଛି । କିନ୍ତୁ ରାୟଗଡ ଜିଲ୍ଲା ଗୁଣପୁର ବଡ ଜଗନ୍ନାଥ ମନ୍ଦିର ନିମନ୍ତେ ସମସ୍ତ କଟକଣା ଚାରିଖୁନ ମାଫ ବୋଲି ମତ ପ୍ରକାଶ ପାଉଛି । ପୁରୀ ଆନନ୍ଦ ବଜାର ବନ୍ଦ ହେଲେବି ଏଠାର ଆନନ୍ଦ ବଜାର ଭକ୍ତଙ୍କ ନିମନ୍ତେ ମୁକୁଳା । ଏଠାର ସମସ୍ତ ପରମ୍ପରା ନିଆରା । ଏଠିକା ଦେବୋତ୍ତର ବିଭାଗ ଅଧିକାରୀଙ୍କ ସହ ପୂଜକଙ୍କ ମଧୁଚନ୍ଦ୍ରିକା ସମସ୍ତ କଟକଣାକୁ ଦଳି ଦେଉଛି ବୋଲି ଅଭିଯୋଗ ଉଠୁଛି ।
ଏନେଇ ଉପଜିଲ୍ଲାପାଳଙ୍କ ନୀରବତା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରୁଛି । କରୋନାର ପ୍ରଥମ ଲହରୀରେ ଜନସଧାରଣ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଅଭାଵ ଅସୁବିଧାକୁ ହୃଦୟଙ୍ଗମ କରି ବର୍ତ୍ତମାନ ଦ୍ବିତୀୟ ଲହରୀ ର ଶେଷ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଲକ୍ ଡାଉନକୁ କୋହଳ କରାଯାଇଛି । ଆଗାମୀ ଦେବସ୍ନାନ ବେଳେ ଗୁଣପୁର ଠାରେ ଯଦି ପୁର୍ବ ବର୍ଷ ଭଳି ଦେବ ଦର୍ଶନ ପ୍ରସାଦ ବିକ୍ରୟ କରାଯାଏ ତେବେ ଆଗାମୀ କରୋନାର ତୃତୀୟ ଲହରୀ ପୁର୍ବରୁ ସଂକ୍ରମଣ ହାର ବଢିବାର ବହୁ ଆଶଙ୍କା ରହିଛି । ଯଦି ସଂକ୍ରମଣ ବଢ଼ି ଚାଲେ ତେବେ ସରକାର ପୁନର୍ବାର ଲକ୍ ଡାଉନ ଘୋଷଣା କରି ପାରନ୍ତି । ଯେଉଁଥି ପାଇଁ ଉଠା ଦୋକାନୀରୁ ଆରମ୍ଭ କରି ମଧ୍ୟବିତ୍ତ ଦୋକାନୀ ଓ ଗରିବ ପରିବାର ବହୁ ବାଧା ବିଘ୍ନର ସମ୍ମୁଖିନ ହେବେ ଏଣୁ ଦେବୋତ୍ତର ବିଭାଗ ମନ୍ଦିର ପୂଜକଙ୍କୁ ଅପଣାଇବା ମନୋଭାଵକୁ ଦୁରେଇ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।