ପବନରେ ବ୍ୟାପୁଛି କରୋନା, ଖୋଲା ଜାଗାଠୁ ବନ୍ଦ କୋଠରୀରେ ସଂକ୍ରମଣ ଭୟ ଅଧିକ

ନୂଆଦିଲ୍ଲୀ,୧୭ା୪: କରୋନାର ଦ୍ୱିତୀୟ ଲହର ପୁରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଖାଲି ଭାରତରେ ନୁହେଁ ବିଶ୍ୱ ସମସ୍ତ ଦେଶରେ କରୋନାର ନୁତନ ଷ୍ଟ୍ରେନ୍ ଭୟଙ୍କର ଭାବରେ ବ୍ୟାପିବାରେ ଲାଗିଛି । ଏହାର ପ୍ରଭାବ ଏତେ ମାତ୍ରାରେ ରହିଛି ଯେ ଲକଡାଉନ୍ କୁ ଛାଡିଦେଲେ ଆଉ କୌଣସି ବିକଳ୍ପ ନାହିଁ । ତେବେ ବିଭିନ୍ନ ସ୍ଥାନରେ ଭାଇରସ୍ କୁ ନେଇ ଅନେକ ଗବେଷଣା ଜାରି ରହିଛି । ଏହା ଭିତରେ ମେଡିକାଲ୍ ଜର୍ନଲ ଲାନସେଣ୍ଟରେ ପ୍ରକାଶିତ ଏକ ଅଧ୍ୟୟନରେ ଖୁଲାସା କରାଯାଇଛି ଯେ, ବର୍ତ୍ତମାନ ବ୍ୟାପୁଥିବା କରୋନାର ନୁତନ ଷ୍ଟ୍ରେନ୍ ପବନରେ ମଧ୍ୟ ସଂକ୍ରମିତ କରିପାରେ । ରିସର୍ଚ୍ଚ ଅନୁସାରେ କୋଭିଡ୍-୧୯ରେ ଦେଖାଯାଇଥିବା Sars-coV02 ଭାଇରସ୍ ପବନରେ ବ୍ୟାପିବା ପାଇଁ ସକ୍ଷମ ।

Sars-coV02 ଭାଇରସ୍ କୌଣସି ବ୍ୟକ୍ତିଙ୍କ ସହ କଥା ହେବା ବେଳେ ବୁନ୍ଦା ଜରିଆରେ ପବନରେ ବ୍ୟାପେ । ଆଉ ଏହା ବାୟୁରେ ୩ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହେ । ବ୍ରିଟେନ୍, ଆମେରିକା, କାନାଡାରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ମାନେ ମିଳିତ ଭାବରେ ଏହାର ପ୍ରମାଣ ସ୍ୱରୁପ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଏବଂ ସେଥିରେ ଏହି ଭାଇରସ୍ ବ୍ୟାପିବାର ଅନେକ କାରଣ ଦେଖାଇଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଯଦି ସଂକ୍ରମିତଙ୍କୁ ଯଦି ଆଇସୋଲେଟ୍ ନ କରାଯାଏ ତେବେ ଦ୍ରୁତ ମାତ୍ରାରେ ଏହି ଭାଇରସ୍ ବ୍ୟାପିବ । ଏଥିସହିତ ସଂକ୍ରମିତ ବ୍ୟକ୍ତି ଯଦି କାହା ସହ କଥା ହୁଏ, ଗୀତ ଗାଏ କିମ୍ବା ଜୋରରେ ପାଟି କରେ ତେବେ ଏହା ଅନ୍ୟ ଲୋକଙ୍କୁ ବ୍ୟାପିପାରେ । ଆଉ ବର୍ତ୍ତମାନ ଯେଉଁ ଆକ୍ରାନ୍ତ ମାନେ ଚିହ୍ନଟ ହେଉଛନ୍ତି ସେମାନେ ଏହିପରି ଭାବରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହେଉଛନ୍ତି ।

ବିଶେଷଜ୍ଞମାନେ ବାୟୁରେ ସଂକ୍ରମଣ ବ୍ୟାପୁଥିବା ନେଇ କେତେକ ଉଦାହରଣ ଦେଇଛନ୍ତି । ଏକ ସୁପରସ୍ପ୍ରେଡର କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରି ବୈଜ୍ଞାନିକମାନେ କହିଛନ୍ତି, ୱାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫୩ ଜଣ ଲୋକ ଏକତ୍ର ହୋଇଥିଲେ । ସେଠାରେ ଆବଶ୍ୟକ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧିଥିଲେ । କେହି ଗୋଟିଏ ସ୍ଥାନକୁ ବାରମ୍ବାର ଛୁଇଁ ବି ନଥିଲେ । କିନ୍ତୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ କାରଣରୁ ସେଠାରେ ଥିବା ସମସ୍ତ ୫୩ ଜଣ ସଂକ୍ରମିତ ହୋଇଗଲେ । ଭାଇରସ ପବନରେ ଦ୍ରୁତ ଗତିରେ ବ୍ୟାପୁଥିବା କାରଣରୁ ଏପରି ହୋଇଛି । ଏଣୁ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଭଳି ନିୟମ ପାଳନ କରିବା ସହ ବାୟୁରେ ଭାଇରସକୁ ବିନାଶ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସେମାନେ ଅପିଲ କରିଛନ୍ତି ।

ଏହାପୁର୍ବରୁ ଗବେଷଣା କରାଯାଇଥିଲା ଯେ, କରୋନା ମହାମାରୀ କାଶିଲେ ଅବା ଛିଙ୍କିଲେ ବ୍ୟାପେ ହେଲେ ବର୍ତ୍ତମାନର ବିଶ୍ଲେଷଣ ଅନୁଯାୟୀ ଏହା ଏବେ କଥା ହେଲେ ପବନରେ ମଧ୍ୟ ବ୍ୟାପିବରେ ସମ୍ଭାବନା ରହିଛି । ତେଣୁ ବୈଜ୍ଞାନିକ ମାନେ ଲୋକଙ୍କୁ ସଚେତନ ରହିବାକୁ ଅପିଲ୍ କରିଛନ୍ତି ।