ଓଡ଼ିଆ ମାଧ୍ୟମ ସ୍କୁଲ୍‌ ସିଲାବସ୍‌ କମିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର :୨୨।୦୭:ଓଡ଼ିଆ ମାଧ୍ୟମ ସ୍କୁଲ୍‌ରେ ସିବିଏସ୍‌ଇ ପରି ପାଠ୍ୟଖସଡ଼ା ହ୍ରାସ ପାଇବ। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କରୋନା ପରିସ୍ଥିତି ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେଇଥିବା ସୂଚନା ମିଳିଛି।

ବୁଧବାର ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ପିଲାମାନଙ୍କୁ କେତେ ପାଠ ପଢ଼ିବାକୁ ହେବ ସେ ନେଇ ଏସ୍‌ସିଇଆର୍‌ଟି ଏକ୍ସପର୍ଟ କମିଟି ନିଷ୍ପତ୍ତି ନେବ। ସେହିପରି ଯୁକ୍ତ ଦୁଇ ସିଲାବସ୍‌ ସମ୍ପର୍କରେ ନିଷ୍ପତ୍ତି ନେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକ୍ସପର୍ଟ କମିଟି। ଶିକ୍ଷାନୁଷ୍ଠାନ ଖୋଲିବା ପରେ କେତେ ଦିନ ଶିକ୍ଷା ବର୍ଷ ବାକି ରହିଛି ତାହାକୁ ବିଚାର କରି ନିଷ୍ପତ୍ତି ହେବ। ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ତାହା ଆଗରୁ ସୂଚୀତ କରାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।