ଅକ୍ଷମତା ମାନବ ଜୀବନର ଏକ ଅଂଶବିଶେଷ । ମଣିଷ ଯେତେ ସ୍ୱାସ୍ଥ୍ୟବନ୍, ବୁଦ୍ଧିମାନ୍ ଏବଂ କୌଶଳ ପରାୟଣ ହେଉ ପଛେ, ସମସ୍ତଙ୍କ ପାଖରେ ଅକ୍ଷମତା ବିଭିନ୍ନ ଭାବରେ ପରିଲକ୍ଷିତ ହୋଇଥାଏ । ସୁସ୍ଥ ବ୍ୟକ୍ତି ପାଖରେ ରାଗ, କ୍ରୋଧ, ଭୟ, ବିତୃଷ୍ଣା, ଆବେଗ ପ୍ରଭୃତି ମଧ୍ୟ ଦେଖାଦେଇଥାଏ । ଅକ୍ଷମତା ଭିନ୍ନକ୍ଷମ ଶିଶୁ ବା ବ୍ୟକ୍ତିମାନଙ୍କ ପାଖରେ ବିଶେଷ ଭାବରେ ଦେଖିବାକୁ ମିଳେ । ଲକ୍ଷଣ ଏବଂ କାରଣଗତ ହେତୁ ଭିନ୍ନକ୍ଷମ/ ଅକ୍ଷମତାକୁ ଏକୋଇଶ ପ୍ରକାରର ଶ୍ରେଣୀଭୁକ୍ତ କରାଯାଇପାରେ, ବିଶେଷ ଭାବରେ: ଦୃଷ୍ଟିଗତ ସମସ୍ୟା, ଶାରୀରିକ, ବୁଦ୍ଧିଗତ ଓ ବିକାଶାତ୍ମକ, ସ୍ନାୟବିକ, ରକ୍ତଗତ ଅକ୍ଷମତା ଇତ୍ୟାଦି । ଅନ୍ୟ ଭାବରେ କହିବାକୁ ଗଲେ, ଏହି ଭିନ୍ନକ୍ଷମ ଶିଶୁମାନଙ୍କ ମଧ୍ୟରୁ କିଏ କିଏ ଦୃଷ୍ଟି ବାଧିତ, ଦୃଷ୍ଟିହୀନତା, ଶ୍ରବଣ ବାଧିତ, ବାକ୍/ ଶ୍ରବଣ ବାଧିତ, ଚଳିତ ଶକ୍ତି ରହିତ, ବାମନ, ବୌଦ୍ଧିକ ଅନଗ୍ରସର, କୁଷ୍ଠରୋଗରୁ ଆରୋଗ୍ୟ ବ୍ୟକ୍ତି, ମାଂସପେଶୀ ଅନିୟମତା, ସ୍ନାୟୁ ଜନିତ ସମସ୍ୟା, ରକ୍ତ ଶିକୁଳା ଭଳି ଅସୁବିଧାରେ ପଡ଼ିଥା’ନ୍ତି ।
ଅଟିଜିମ୍, ବୁଦ୍ଧିଗତ ତଥା ବିକାଶାତ୍ମକ ଅକ୍ଷମତାର ଅନ୍ତର୍ଭୁକ୍ତ । ଅଟିଜିମ୍କୁ ସ୍ୱପରାୟଣତା/ ସ୍ୱଲୀନତା/ ଆତ୍ମବିମୋହ କୁହାଯାଇପାରେ । ଅଟିଜିମ୍ ଆକ୍ରାନ୍ତ ପିଲାମାନେ ସୁସ୍ଥ ସବଳ ଦେଖାଯାଇଥାଆନ୍ତି, ମାତ୍ର ମସ୍ତିଷ୍କର (ସ୍ନାୟୁ- ନିରୋଲୋଜିକାଲ୍) ଗଠନ ବା ଆଘାତ ହେତୁ ଏବଂ କେତେକ ବିଶେଷ ଅସୁବିଧା କାରଣରୁ ସେମାନଙ୍କଠାରେ ଅକ୍ଷମତା ଦେଖାଦେଇଥାଏ । ମସ୍ତିଷ୍କର ସ୍ନାୟବିକ ଅସୁବିଧା ହେତୁ କେତେକ ପିଲା ନିଜର ଭାବକୁ ଠିକ୍ ଭାବରେ ପ୍ରକାଶ କରିପାରନ୍ତି ନାହିଁ । ସମାଜର ବା ସମବୟସ୍କ ପିଲା ବା ପରିବାରବର୍ଗ ଲୋକଙ୍କ ପାଖରେ ମଧ୍ୟ ନିଜର ଭାବକୁ ଠିକ୍ ଭାବରେ ଉପସ୍ଥାପନ କରିପାରନ୍ତି ନାହିଁ । ଶିଶୁ ଅଢ଼େଇରୁ ତିନିବର୍ଷ ହେଲା ବେଳକୁ ଅଟିଜିମ୍ର କେତେକ ଲକ୍ଷଣ ତା’ଠାରେ ବାରି ହୋଇଯାଏ । ପିତାମାତା, ପିରବାର ଲୋକ, ଆତ୍ମୀୟ ସ୍ୱଜନ ତଥା ସାଇପଡୋଶୀ ଠିକ୍ ଭାବରେ ପର୍ଯ୍ୟବେକ୍ଷଣ କଲେ, ଅଟିଜିମ୍ର ଲକ୍ଷଣମାନ ଜଣାପଡ଼ିଥାଏ । ଅଟିଜିମ୍ ଆକ୍ରାନ୍ତ ପିଲାଙ୍କ ଭିତରୁ ପ୍ରାୟ ୬୦ରୁ ୭୦ ପ୍ରତିଶତ ପିଲାଙ୍କ ପାଖରେ ବୁଦ୍ଧିଗତ ଅସ୍ୱାଭାବିକତା ଦେଖାଯାଉଥିବା ବେଳେ ଅନ୍ୟ ପିଲାମାନଙ୍କ ପାଖରେ ଅତି ବୁଦ୍ଧିମାନ ବା ସାଧାରଣ ବୁଦ୍ଧି ସମ୍ପନ୍ନ ଲକ୍ଷଣମାନ ଦେଖିବାକୁ ମିଳିଥାଏ । ଏହି ପିଲାମାନେ ବିଭିନ୍ନ ପ୍ରତିଭାର ଅଧିକାରୀ ବୋଲି ଗବେଷଣାରୁ ଜଣାଯାଏ ।
କାରଣ କ’ଣ ହୋଇପାରେ?
ବଂଶଗତ ବା ଶାରୀରିକ କାରଣ ହେତୁ ପ୍ରାୟତଃ ଅଟିଜିମ୍ ହୁଏ । ସାମାଜିକ ଓ ମାନସିକ ସମସ୍ୟାମାନ ଅନ୍ୟ ଆନୁସଙ୍ଗିକ କାରଣ ହୋଇପାରେ । ଶିଶୁ ଜନ୍ମ ନେଲାବେଳେ କେତେକ ବିଶେଷ ଅସୁବିଧା, ଯଥା- ପ୍ରଚୁର ରକ୍ତସ୍ରାବ, ରୋଗ ପ୍ରତିରୋଧକ ଶକ୍ତିର ଅଭାବ, ଜୈବିକ ଅସ୍ୱାଭାବିକତା (ବାୟୋଲୋଜିକାଲ୍ ପ୍ରବଲେମ୍ସ), ବ୍ରେନ୍ ଆବ୍ନର୍ମାଲିଟି, ରେଟିକୁଲାର ଆକ୍ଟିଭେସନ୍ ସିଷ୍ଟମରେ କ୍ଷୁଦ୍ରାଣୁ (ଲିଜନ୍) ଥିଲେ ଅଟିଜିମ୍ ହେବାର ସମ୍ଭାବନା ଥାଏ । ମସ୍ତିଷ୍କର ଲିମ୍ବିକ୍ ସିଷ୍ଟମ୍ର ଆମିଡ୍କାଲା, ହିପୋକେମ୍ପସ୍ ଭଳି ସ୍ଥାନରେ କ୍ଷତ ହୋଇଥିଲେ ବା ସ୍ନାୟୁଗତ ସମସ୍ୟା (ନୁ୍ୟରୋଲୋଜିକାଲ୍ ସମସ୍ୟା) ଥିଲେ ଅଟିଜିମ୍ ଦେଖାଦେଇପାରେ । ଏତଦ୍ ବ୍ୟତୀତ ଅନ୍ୟାନ୍ୟ ବହୁ କାରଣମାନ ରହିଛି ।
ଅଟିଷ୍ଟିକ୍ ପିଲାଙ୍କୁ ଚିହ୍ନିବା କିପରି:
♦ ଅଟିଷ୍ଟିକ୍ ଆକ୍ରାନ୍ତ ପିଲା ସାଧାରଣତଃ ସିଧାସଳଖ ମୁହଁକୁ ଚାହିଁ କଥା ହେବାକୁ କୁଣ୍ଠା ପ୍ରକାଶ କରିଥାଆନ୍ତି ।
♦ ମୁହଁକୁ ବୁଲେଇ ବଙ୍କାଇ ଅସ୍ୱାଭାବିକ ସ୍ୱରରେ କଥା କହିଥା’ନ୍ତି ।
♦ ସେମାନଙ୍କ ଭାବଭଙ୍ଗୀ, ଚାଲିଚଳଣ ସାଧାରଣ ବୟସ୍କ ପିଲାଙ୍କଠାରୁ ଟିକିଏ ଅଲଗା ଥାଏ ।
♦ ସେମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି, ନିଜକୁ ବା ଅନ୍ୟକୁ ବାଡ଼େଇବା ବା ସେହିଭଳି, କାମୁଡିବା, ଏଣେତେଣେ ବୁଲିବା, ନିଜକୁ ଆଘାତ ଦେବା, ଜୋରରେ ଚିକ୍ରାର କରିଥା’ନ୍ତି ।
♦ ମନକୁ ମନ ହସେ, ଖେଳେ, ବିଭିନ୍ନ ସ୍ୱର ଭଙ୍ଗୀରେ ଉଚ୍ଚାରଣ ବେଳେବେଳେ କରିଥାଏ ।
♦ କଥା କହିବା ଶୈଳୀରେ ବିଭିନ୍ନତା ବା ଅସ୍ୱାଭାବିକତା ପରିଲକ୍ଷିତ ହୁଏ ।
♦ ସର୍ବଦା ନିଜ ଦୁନିଆରେ ରହିବାକୁ ଭଲ ପାଏ ।
♦ କେତେକ କଥା କହିବାକୁ ଆଦୌ ପସନ୍ଦ କରନ୍ତି ନାହିଁ ବା ବିଳମ୍ବରେ କଥା କହନ୍ତି ।
♦ ବେଳେବେଳେ କ୍ରୋଧରେ କର୍କଶ ବା ଟାଣ କଥା କହିପକାନ୍ତି ।
♦ ଏକା ପ୍ରକାର କାମକୁ ବାରମ୍ବାର ମଧ୍ୟ କରିଥାଆନ୍ତି ।
ଆହୁରି ଅନେକ କାରଣ ମଧ୍ୟ ହୋଇପାରେ, ଯଥା- ଅଟିଷ୍ଟିକ୍ ଅସ୍ୱାଭାବିକତା (ଆସ୍ପର୍ ସିଣ୍ଡ୍ରମ୍), ରେଟ୍ ସିଣ୍ଡ୍ରମ ଇତ୍ୟାଦି ।
ପ୍ରତିକାର:
ଅଟିଜିମ୍ ଶିଶୁମାନଙ୍କ ପାଇଁ ଏକ ସାମୟିକ ଅକ୍ଷମତା ବୋଲି ବିବେଚନା କରାଯାଇପାରେ, ଯଦିଓ କେତେକ କ୍ଷେତ୍ରରେ ବିଶେଷ ସକ୍ଷମତା ମଧ୍ୟ ପରିଲକ୍ଷିତ ହୁଏ । କେତେକ ବିଷୟ ପ୍ରତି ଧ୍ୟାନଦେଲେ କିଛିଟା
ସୁଧାର ହେବାର ସମ୍ଭାବନା ଥାଏ । ବିଶେଷକରି-
ପିଲାଟି ସହିତ ଧୈର୍ଯ୍ୟର ସହିତ କଥାହେବା, ତା’ କଥାକୁ ବୁଝିବା । ଅନ୍ୟମାନଙ୍କ କଥାକୁ ଧୈର୍ଯ୍ୟର ସହିତ ଶୁଣିବା ପାଇଁ ଶିଶୁଟିକୁ ପ୍ରୋତ୍ସାହିତ କରିବା, ଶିଶୁଟି ଅନ୍ୟମାନଙ୍କ ସହିତ ମିଳିମିଶି ଚଳିବା ପାଇଁ ପରିବେଶ ତିଆରି କରିବା ଓ ପ୍ରୋତ୍ସାହିତ କରିବା ଏବଂ ମନସ୍ତତ୍ତ୍ୱବିତ୍, ମନରୋଗ ଡାକ୍ତର, ବାକ୍ଚିକିତ୍ସା ବିଶେଷଜ୍ଞ ଏବଂ ସୁଦକ୍ଷ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁଟିର ଚିକିତ୍ସା ଯଥାଶୀଘ୍ର କରାଇନେଲେ ଭଲ ।
କେତେକ ସ୍ୱତନ୍ତ୍ର ଚିକିତ୍ସା:
♦ ପ୍ରୟୋଗାତ୍ମକ ବ୍ୟବହାରିକ ସଂପରୀକ୍ଷଣ (ଆପ୍ଲାଏଡ୍ ବିହେଭିଅରାଲ୍ ଆନାଲିସିସ୍)
♦ ବ୍ୟବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା (ବିହେଭିଅର୍ ମୋଡିଫିକେସନ୍) ।
♦ ଅଟିଜିମ୍ ଶିଶୁଙ୍କୁ ଚିକିତ୍ସା ଏବଂ ଶିକ୍ଷା (ଟେକ୍ ମେଥଡ- ଟି୍ରଟ୍ମେଣ୍ଟ ଆଣ୍ଡ ଏଡୁକେସନ୍ ଅଫ୍ ଅଟିଷ୍ଟିକ୍ ଆଣ୍ଡ ରିଲେଟେଡ୍ କମୁ୍ୟନିକେସନ୍ ହ୍ୟାଣ୍ଡିକ୍ୟାପ୍ଡ ଚିଲଡ୍ରେନ୍)
♦ ଦୈନନ୍ଦିନ ଜୀବନ ଚିକିତ୍ସା/ ଜୀବନ ଚର୍ଯ୍ୟା (ଡେଲି ଲାଇଫ୍ ଥେରାପି)
♦ କଥୋପକଥନ (କମୁ୍ୟନିକେସନ୍ ଥେରାପି)
ଅଟିଷ୍ଟିକ୍ ଆକ୍ରାନ୍ତ ଶିଶୁ ଅତି ସବଳ ନହେଲେ ମଧ୍ୟ ଦୁର୍ବଳ ହୁଏନାହିଁ । ତେଣୁ ଏମାନଙ୍କର ଚିକିତ୍ସାର ଆବଶ୍ୟକତା ପଡେ । ଯଥା: କଥୋପ କ, ଶାରିରୀକ ବ୍ୟୟାମ , ବ୍ୟବହାରିକ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା, ଖେଳ ମାଧ୍ୟମରେ କିଛି ମାତ୍ରାରେ ସୁଧାର ଆସିପାରେ । ଏମାନଙ୍କୁ ବୁଝିବା ଏବଂ ବୁଝାଇବା ତଥା ଶିକ୍ଷା ଦେବାପାଇଁ ଅସୀମ ଧୈର୍ଯ୍ୟ, ସ୍ନେହ ଆଦର ଆବଶ୍ୟକ । ସ୍ୱତନ୍ତ୍ର ତାଲିମ ପ୍ରାପ୍ତଜନିତ ଶିକ୍ଷକ/ ବ୍ୟକ୍ତି/ ଅଭିଜ୍ଞ ଡାକ୍ତରୀ ଜ୍ଞାନ ସମ୍ପନ୍ନ ବ୍ୟକ୍ତିଦ୍ୱାରା ଚିକିତ୍ସା କଲେ, ଉପକାର ମିଳିବାର ସମ୍ଭାବନା ଅଧିକ ।
ବିହେଭିଅରାଲ୍ କଗ୍ନିଟିଭ୍, ଏଡୁକେସନାଲ୍ ଇଣ୍ଟରଭେନ୍ସନ ଥ୍ରୁ ସ୍ପେସାଲ୍ ଏଡୁକେଟରସ୍ଙ୍କ ଦ୍ୱାରା କରାଯାଇପାରିଲେ ଅଟିଷ୍ଟିକ୍ ପିଲାଟିର ଉନ୍ନତି ହେବାର ଆଶା ରହିଛି । ଏଥିପାଇଁ ବାପା, ମାଆ, ପରିବାରର ଲୋକ, ସାହିପଡ଼ୋଶୀ ପିଲାଟିର ସମବୟସ୍କ ଅନ୍ୟ ସାଧାରଣ ଶିଶୁ ତଥା ସମାଜର ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଅଟିଜିମ୍ ପିଲାମାନଙ୍କର ବ୍ୟବହାରିକ ତଥା ପ୍ରଜ୍ଞା ପ୍ରକାଶ ପାଇଁ ଅନୁକୂଳ ପରିସ୍ଥିତି ପ୍ରସ୍ତୁତ କରିବା, ପସନ୍ଦ ଏବଂ ଗ୍ରହଣୀୟ ଶିକ୍ଷା ପଦ୍ଧତି, ଦକ୍ଷ ଶିକ୍ଷକଙ୍କ ଦ୍ୱାରା ପ୍ରଦାନ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । ଆମକୁ ମନେ ରଖିବାକୁ ହେବ ଯେ ସଠିକ୍ ଧାରାରେ ହିଁ ଯିବା ଦରକାର । ସେମାନଙ୍କ ପାଇଁ ସମାଜରେ ସମୟ ଓ ସ୍ଥାନ ବାହାର କରିବା ଜରୁରୀ । ଅଟିଜିମ୍ ଏକ ବିକାଶ ବାଧକ ପ୍ରକ୍ରିୟା । ଖାଲି ଦେଢ଼ବର୍ଷରୁ ୩ବର୍ଷ ପିଲା ନୁହଁନ୍ତି କେତେକ କ୍ଷେତ୍ରରେ ୮-୯ ବର୍ଷରେ ମଧ୍ୟ ଅଟିଜିମ୍ ପରିଲକ୍ଷିତ ହୁଏ । ଅଟିଜିମ୍ ଗୋଟିଏ ସାମାଜିକ କଥୋପକଥନ ଅନିମିୟତା । ଆଜି ବହୁବିଧ ସୁବିଧା ଏବଂ ବ୍ୟବସ୍ଥାମାନ ଉପଲବ୍ଧ ହେଲାଣି । ଅଟିଷ୍ଟିକ୍ ପିଲାଙ୍କୁ ଭଲ କରିବାରେ ଚାରିଜଣଙ୍କର ପ୍ରମୁଖ ଭୂମିକା ରହିଛି । ଯଥା: ପିତା, ମାତା, ଶିଶୁ ମନୋଚିକିତ୍ସକ ଓ ଦକ୍ଷ ତାଲିମ ପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ । ପିଲାଟି ଏକ ମୁହୂର୍ତ୍ତରେ କ’ଣ କରୁଛି ତାଙ୍କୁ ବିଚାରକୁ ନେଇ ଆନୁସଙ୍ଗିକ ସୁବିଧା ଯୋଗାଇବା ଦରକାର । ଅଟିଜିମ୍ ଏକ ରୋଗ ଅସୁସ୍ଥତା ଅଂଶଭୁକ୍ତ ବୋଲି ଭାବିବା ଠିକ୍ ହେବନି, ବରଂ ଏହା ଏକ ଭିନ୍ନ ଧରଣର ବ୍ୟବହାର ବୋଲି ଧରି ସୁଧାର ଆଣିବାକୁ ଚେଷ୍ଟିତ ହେଲେ, ଅଟିଷ୍ଟିକ୍ ଶିଶୁଟି ସୁସମାଜର ମୁଖ୍ୟ ସ୍ରୋତକୁ ଫେରିବାର ସମ୍ଭାବନା ରହିଛି । ପ୍ରତିବର୍ଷ ଅପ୍ରେଲ ୨ ତାରିଖକୁ ବିଶ୍ୱ ଅଟିଜିମ୍ ସଚେତନତା ଦିବସ ଭାବରେ ପାଳନ କରାଯାଉଛି ।
ଶିଶୁମାନେ ହେଉଛନ୍ତି, ଦେଶର ଭବିଷ୍ୟତ । ଶିଶୁ ହସିଲେ ଜଗତ ହସେ । ଅଟିଷ୍ଟିକ୍ ଅକ୍ଷମତାସମ୍ପନ୍ନ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିବିଶେଷ, ପରିବାର ଲୋକ, ସରକାର ତଥା ସ୍ୱତନ୍ତ୍ର ଶିକ୍ଷା ତାଲିମପ୍ରାପ୍ତ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ସମସ୍ୟା ଆଡକୁ ସାମାନ୍ୟ ଦୃଷ୍ଟିଦେଲେ, ଅଟିଜିମ୍ ପିଲାମାନଙ୍କର ମେଧାର ବିକାଶ ଘଟିବ, ସମାଜର ବିକାଶରେ ସେମାନେ ମଧ୍ୟ ଅଂଶୀଦାର ହୋଇପାରିବେ ।
-୦-
(ପ୍ରାକ୍ତନ ମନୋବିଜ୍ଞାନ ଅଧ୍ୟାପକ)
ମାର୍ଫତ୍ :ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୩୦୫୩୦
ଗୋପାଳକୃଷ୍ଣ ନନ୍ଦ