ଟିକା ଅଭାବ, ଜୁନ୍ ୨ରୁ ୧୮ରୁ ୪୪ ବୟସ୍କଙ୍କ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଟିକାର ଅଭାବ। ଟିକା ଅଭାବ କାରଣରୁ ଜୁନ୍ ୨ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଟିକା କମ୍ପାନୀମାନେ ଟିକା ଦେବା ନେଇ କୌଣସି ପ୍ରକାର ସୂଚନା ଦେଇନାହାନ୍ତି। ବର୍ତ୍ତମାନ ଯାହା ଟିକା ମହଜୁଦ ଅଛି ତାହା ଆସନ୍ତାକାଲି ପର୍ଯ୍ୟନ୍ତ ହିଁ ଯିବ। ତେଣୁ ଟିକା ନଥିବାରୁ ମଙ୍ଗଳବାର ପରଠାରୁ ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ ଟିକା କରଣ ପ୍ରକ୍ରିୟାକୁ ବନ୍ଦ ରଖାଯିବ।

ଆସନ୍ତା ୩ ତାରିଖରେ ଓଡ଼ିଶାକୁ ୩ ଲକ୍ଷ ୫ ହଜାର ୪୬୦ କୋଭିସିଲ୍ଡ ଟିକା ଆସିବ। ଏହା ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉର୍ଦ୍ଦିଷ୍ଟ। ସେହିପରି ଆସନ୍ତା ୬ ତାରିଖରେ ୪୦ ହଜାର କୋଭାକ୍ସିନ୍ ଟିକା ଓଡ଼ିଶାରେ ଆସି ପହଞ୍ଚିବ। ଏ ସମସ୍ତ ଟିକା କେନ୍ଦ୍ର ସରକାରଙ୍କ ତରଫରୁ ଓଡ଼ିଶାକୁ ଯୋଗାଇ ଦିଆଯିବ।

ରାଜ୍ୟ ସରକାର ଟିକାକରଣକୁ ପ୍ରାଥମିକତା ଦେଇ ଗ୍ଲୋବଲ୍‌ ଟେଣ୍ଟର ଡକାଇଛନ୍ତି। ଯଦି ଠିକ୍‌ ସମୟରେ ଟିକା ମିଳେ, ତେବେ ଆସନ୍ତା ୩ରୁ ୪ ମାସ ମଧ୍ୟରେ ଭ୍ୟାକ୍ସିନେସନ୍‌ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।