ଜୁନ ୩୦ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା

ନୂଆଦିଲ୍ଲୀ ୨୮।୫: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣକୁ ଆଗାମୀ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି। ତେବେ ଏହି କଟକଣା କାର୍ଗୋ ସଞ୍ଚାଳନ ଓ ନିୟାମକଙ୍କ ଦ୍ୱାରା ଅନୁମୋଦିତ ଉଡ଼ାଣ ଉପରେ ଲାଗୁ ହେବ ନାହିଁ ବୋଲି ଶୁକ୍ରବାର ଡିଜିସିଏ ଘୋଷଣା କରିଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ମାର୍ଚ୍ଚ ୨୦୨୦ରୁ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡ଼ାଣ କଟକଣା ଲାଗୁ ହୋଇଛି।

ତେବେ, ମେ ୨୦୨୦ଠାରୁ, ବନ୍ଦେ ଭାରତ ଅଭିଯାନ ଏବଂ ଜୁଲାଇ ୨୦୨୦ ରୁ ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥାରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇଛି। ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, କେନିଆ, ଭୁଟାନ ଏବଂ ଫ୍ରାନ୍ସ ସମେତ ୨୭ ଟି ଦେଶ ସହିତ କେନ୍ଦ୍ର ସରକାର ଏୟାର ବବଲ ଚୁକ୍ତି କରିଛନ୍ତି। ସୂଚନା ଥାଉ କି ଯେ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ସେମାନଙ୍କ ଅଞ୍ଚଳ ମଧ୍ୟରେ ଉଡିପାରିବ।

ପ୍ରକାଶ ଥାଉକି, ଡିଜିସିଏ ଦ୍ୱାରା ଶୁକ୍ରବାର ପ୍ରକାଶିତ ଏହାର ସରକାରୀ ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଏହି ନିଲମ୍ବନ ଅନ୍ତର୍ଜାତୀୟ କାର୍ଗୋ ବିମାନ ଉପରେ ପ୍ରଭାବ ପକାଇବ ନାହିଁ। ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉପରେ ସ୍ଥଗିତାଦେଶ ସମ୍ପର୍କରେ ଏହି ନିଷ୍ପତ୍ତି କରୋନାର ଦ୍ୱିତୀୟ ଲହରୀ ମଧ୍ୟରେ ଆସିଛି।