ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ୟଶ୍’

ବାଲେଶ୍ୱର,: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’କୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଚର୍ଚ୍ଚା ଓ ଆଶଙ୍କା ଜାରି ରହିଛି । ତେବେ ‘ୟଶ୍’ ଭଦ୍ରକ ଜିଲ୍ଲାର ଧାମରା ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ସକାଳୁ ବାତ୍ୟାର ଲ୍ୟାଣ୍ଡଫଲ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ବେଳକୁ ବେଳ ବାତ୍ୟା ନିକଟତର ହେଉଥିବାରୁ ଏହାର ଆଖି ଦୃଶ୍ୟମାନ ହେଇଥିବା ଜଣାପଡ଼ିଛି । ତେବେ ସାମୁଦ୍ରିକ ଝଡ଼ ‘ୟଶ୍’ ବର୍ତ୍ତମାନ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଥିବା ଜଣାପଡ଼ିଛି ।

ତେବେ ବାତ୍ୟାର ପ୍ରକୋପରେ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ଜୁଆର ୪ ମିଟର ଉଚ୍ଚତା ପର୍ଯ୍ୟନ୍ତ ମାଡ଼ି ଆସିବାର ଭୟ ରହିଛି । ବର୍ତ୍ତମାନ ବାତ୍ୟା ବଙ୍ଗୋପସାଗରରୁ ଶକ୍ତି ସଞ୍ଚୟ କରି ଆଗକୁ ଗତି କରୁଛି । ପ୍ରବଳ ପବନର ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡ଼ିବା ସହ, ଆଜବେଷ୍ଟସ୍ ଘର, ପୁରୁଣା କୋଠା ଭାଙ୍ଗିବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଦାଦୀପ ଓ ଧାମରାରେ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ଜଣାପଡ଼ିଛି ।

ତେବେ ମଙ୍ଗଳବାର ଅପରାହ୍ନରେ ଭେରି ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ସକାଳେ ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ ପହଞ୍ଚିବ । ମଧ୍ୟାହ୍ନ ସୁଦ୍ଧା ବାତ୍ୟା ଏହି ଅଞ୍ଚଳ ଅତିକ୍ରମ କରିବ। ତେବେ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟନ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ୨୬ ତାରିଖ ମଧ୍ୟାହ୍ନରେ ଧାମରା ପାଖରେ ବାତ୍ୟା ୟାସ୍‌ ସ୍ଥଳଭାଗ ଅତିକ୍ରମ କରିବ। ଏନେଇ ଆଇଏମ୍‌ଡି ଡିଜ ସୂଚନା ଦେଇଛନ୍ତି।

ଗତ ୬ ଘଣ୍ଟାରେ ଧରି ଏହା ୯ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଯଦି ଏହି ଗତି ଜାରି ରହେ, ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିବ । ବେଳେ ବେଳେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।