ବାତ୍ୟା ‘ୟାସ’ ମୁକାବିଲା: ୫ ବରିଷ୍ଠ ଆଇଏଏସ୍‌ଙ୍କୁ ୫ ଜିଲ୍ଲାର ଦାୟିତ୍ୱ

ଭୁବନେଶ୍ୱର : ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍‌’। ଏହା ଏକ ଅତି ଭୀଷଣ ବାତ୍ୟା ହେବ। ତେଣୁ କ୍ଷୟକ୍ଷତି ବ୍ୟାପକ ହୋଇପାରେ ବୋଲି ଆକଳନ କରାଯାଉଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟାସ’ର ପ୍ରଭାବ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି । ରିଲିଫ ଅପରେସନ ସହ ପରିସ୍ଥିତି ଉପରେ ନଜର ରଖିବେ ଏହି ବରିଷ୍ଠ ଅଧିକାରୀ ।

ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଛି । ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର, ଭି ଭି ଯାଦବଙ୍କୁ ଭଦ୍ରକ ଦାୟିତ୍ୱ ଦିଆଯାଇଛି । ସେହିଭଳି ବିଶାଲ ଦେବଙ୍କୁ ବାଲେଶ୍ୱର ଓ ସୁରେଶ ବଶିଷ୍ଠଙ୍କୁ ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।