IAS ଭି.କେ. ପାଣ୍ଡିଆନଙ୍କୁ ମିଳିଲା FIH ପ୍ରେସିଡେଣ୍ଟସ ଆୱାର୍ଡ

ଭୁବନେଶ୍ଵର : ରାଜ୍ୟରେ ହକିର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କର ଯେଉଁ ଯୋଗଦାନ ରହିଛି ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଡସ ସମ୍ମାନରେ ସମ୍ମାନିତ କରିଛି। ଭର୍ଚୁଆଲରେ ଆୟୋଜନ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭି. କେ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ସରକାରୀ ସ୍ତରରେ ଯଥେଷ୍ଟ ଉଦ୍ୟମ କରାଯାଇଛି। ଭାରତୀୟ ହକି ଦଳର ପ୍ରୟୋଜକ ଭାବେ ଓଡିଶା ଥିବାବେଳେ ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି। ସେହିଭଳି ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ହକି ଦୁନିଆରେ ଓଡିଶା ଏକ ସ୍ୱତନ୍ତ୍ର ଛାପ ଛାଡିଛି। ଏସବୁ ପଛରେ ୫-ଟି ସଚିବଙ୍କ ବଡ ଭୂମିକା ଥିବା ଚର୍ଚ୍ଚା ହେଉଥିଲା। ପାଣ୍ଡିଆନଙ୍କୁ ପୁରସ୍କାର ମିଳିବା ପରେ ହକି ଇଣ୍ଡିଆ ତାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ଏହି ସମ୍ମାନଜନକ ଆୱାର୍ଡ ପାଇବା ପାଇଁ ସେ ଯୋଗ୍ୟ ବୋଲି କହିଛି।