ମମତାଙ୍କ ପାଇଁ ଇସ୍ତଫା ଦେଲେ ବିଧାୟକ ତାଙ୍କ ବଦଳରେ ମମତା ଲଢ଼ିବେ ନିର୍ବାଚନ

କୋଲକାତା,୨୧।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ବିଧାନସଭା ଉପ-ନିର୍ବାଚନ ଲାଗି ଏବେ ରାସ୍ତା ସଫା ହୋଇଯାଇଛି। କାରଣ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସର ନେତା ଶୋଭନ ଦେବ ଚାଟାର୍ଜୀ ବିଧାୟକ ପଦରୁ ଶୁକ୍ରବାର ଇସ୍ତଫା ଦେଇଛନ୍ତି। ସେ ଭବାନୀପୁର ବିଧାନସଭା ଆସନରୁ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ। ଏହି ବିଧାନସଭା ଆସନ ମମତାଙ୍କ ପାରମ୍ପାରିକ ଆସନ ବୋଲି କୁହାଯାଏ।

ସେ ୨ଥର ଭବାନୀପୁର ଆସନରୁ ଜିତି ସାରିଛନ୍ତି। କିନ୍ତୁ ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମ ଆସନରୁ ଲଢ଼ିଥିଲେ ସେତେବେଳେ ଶୋଭନ ଦେବଙ୍କୁ ଏହି ଆସନରୁ ଟିଏମ୍‌ସି ପକ୍ଷରୁ ଟିକେଟ ଦିଆଯାଇଥିଲା। ଅନ୍ୟପଟେ ଇସ୍ତଫା ଦେବା ପରେ ଶୋଭନ କହିଛନ୍ତି, ଏହା ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଥିବା ବେଳେ ସେ ପୁଣି ଥରେ ଏଠାରୁ ଲଢ଼ିବାକୁ ଚାହୁଁଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ତେଣୁ ସେ ବିନା କୌଣସି ଚାପରେ ଏହି ଆସନକୁ ଖାଲି କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଶୋଭନ କହିଛନ୍ତି।

ମମତାଙ୍କ ସରକାରରେ କୃଷିମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଶୋଭନଦେବ ଖରଦାହ ସିଟ୍‌ରୁ ନିର୍ବାଚନ ଲଢ଼ିପାରନ୍ତି। କାରଣ ଏହି ସିଟ୍‌ରେ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନାଙ୍କର ମୃତ୍ୟୁ ହେବା ପରେ ଏଠାରେ ନିର୍ବାଚନ ହୋଇପାରିନଥିଲା। ଏହି ଠାରୁ ହିଁ ଶୋଭନଦେବ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି। ସୂଚନା ଥାଉକି ୨୦୨୧ ନିର୍ବାଚନରେ ବିଜେପି ଓ ଟିଏମ୍‌ସି ମଧ୍ୟ କଡ଼ା ମୁକାବିଲା ହୋଇଥିଲା। ହେଲେ ଏତିରେ ବିଜେପି ଲଜ୍ଜାଜନକ ଭାବେ ପରାଜୟ ହେବାକୁ ପଡ଼ିଥିଲା। ଟିଏମ୍‌ସି ୨୦୧୩ ସିଟ୍‌ ଜିତିବା ସହିତ ରାଜ୍ୟରେ ସରକାର ଗଠନ କରିଛନ୍ତି।