ଆରପାରିରେ ‘ଲଭ୍ ୟୁ ଜିନ୍ଦେଗୀ’ରେ ଝୁମୁଥିବା କୋରୋନା ପୀଡିତା

ନୂଆଦିଲ୍ଲୀ: କୋରୋନା ମହାମାରୀ ସଙ୍କଟ ଘେରରେ ଦେଶ । ଏପରି ପରିସ୍ଥିତିରେ ମାନସିକ ଦୁର୍ବଳତା ରୋଗକୁ ବ୍ୟାପିବାରେ ଅଧିକ ସହାୟତା କରିବ । ଆତ୍ମବିଶ୍ବାସ ରହିଲେ ହିଁ ଆମେ ସମୂହ ଭାବେ ଏହି ମହାମାରୀକୁ ପରାସ୍ତ କରିପାରିବା । ତେବେ ଆମେ ଆଜି ଆପଣଙ୍କୁ ସେହିପରି ଆତ୍ମବିଶ୍ବାସରେ ଭରା ଜଣେ ମହିଳାଙ୍କ ଭିଡିଓ ଦେଖାଇବୁ, ଯିଏ କୋରୋନାରେ ପୀଡିତ ଓ ଏନଆଇଭି ସପୋର୍ଟରେ ମଧ୍ୟ ରହି ସେ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ଉପଭୋଗ କରୁଥିଲେ । ହେଲେ ଦୁଃଖର ବିଷୟ ପୀଡିତା ଜଣକ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।

ନିକଟରେ ହସ୍ପିଟାଲରୁ ଜଣେ ମହିଳା ଗୀତ ଶୁଣୁଥିବାର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଥିବା ମହିଳାଙ୍କୁ ୮ ତାରିଖରେ ଦରକାର ଥିଲା ଆଇସିୟୁ ଶଯ୍ୟା, ହେଲେ ମିଳିଥିଲା ୧୦ ତାରିଖରେ । ଯାଦ୍ବାରା ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ହସ୍ପିଟାଲର ଜଣେ ମହିଳା ଡାକ୍ତର ମୋନିକା ଲାଙ୍ଘେ ପୀଡିତାଙ୍କ ଭିଡିଓକୁ ପ୍ରଥମେ ସେୟାର କରିଥିଲେ । ଭିଡିଓରେ ଥିବା ମହିଳା ଗୀତଟିକୁ ଖୁବ୍ ଉପଭୋଗ କରିଥିଲେ । ଆଇସିୟୁ ଶଯ୍ୟା ମିଳିନଥିଲେ ବି କୌଣସି ଚିନ୍ତା ନଥିଲା । ସମସ୍ତ ରୋଗ କଷ୍ଟକୁ ସେ ହଜିଯାଇଥିଲେ ଗୀତରେ ।

ତେବେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରେମଡିସିଭର ଔଷଧ ଦିଆଯାଇଥିବା ବେଳେ ପ୍ଲାଜମା ମଧ୍ୟ ଦିଆଯାଇଥିଲା । କୋରୋନା କଷ୍ଟରୁ ସାମାନ୍ୟ ଆଶ୍ବସ୍ତି ପାଇବା ପାଇଁ ସେ ଡାକ୍ତରଙ୍କୁ ଗୀତ ଲଗାଇବାକୁ କହିଥିଲେ । ଏହାପରେ ଡାକ୍ତର ଜଣକ ଶାହାରୁଖ୍ ଖାନ୍ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡିୟର୍ ଜିନ୍ଦେଗୀ’ର ଗୀତ ‘ଲଭ୍ ୟୁ ଜିନ୍ଦେଗୀ’ ଲଗାଇଥିଲେ , ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ଓ ଲୋକେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।

ମାତ୍ର ଶେଷରେ ହାରି ଯାଇଛନ୍ତି ପୀଡିତା ମାତ୍ର ମୃତ୍ୟୁ ପୂର୍ବରୁ ସେ ଶିଖାଇ ଦେଇ ଯାଇଛନ୍ତି ଯେ, ଜୀବନରେ ଯେତେ ସମସ୍ୟା, ବାଧା, ବିଘ୍ନ ଆସିଲେ ବି ସବୁବେଳେ ହସଖୁସିରେ ରୁହନ୍ତୁ । ସେପଟେ ଅଭିନେତା ସୋନୁ ସୁଦ ମଧ୍ୟ ପୀଡିତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି, ଭାରତରେ 2 କୋଟିରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇ ସାରିଲେଣି । ଏହାସହ 2 ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।