ନୂଆଦିଲ୍ଲୀ: ରୁଷୀୟ ଟିକା ସ୍ଫୁଟନିକ୍-ଭି ଟିକାର ଆଜି ଦର ପ୍ରକାଶ କରିଛି ଡ଼. ରେଡ୍ଡୀ ଲ୍ୟାବ୍ । ସ୍ଫୁଟନିକ-ଭି ଡୋଜ୍ ପିଛା ଦର ୯୪୮ ଟଙ୍କା ରଖାଯାଇଛି । ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡିବ ବୋଲି ସୁଚନା ମିଳିଛି । ଏଥିସହିତ ଡ଼. ରେଡ୍ଡୀ ଲ୍ୟାବ୍ ଏହି ସ୍ଫୁଟନିକ୍-ଭିର ଟିକାକରଣ ମଧ୍ୟ ଆରମ୍ଭ କରିଛି । ହାଇଦ୍ରାବାଦ୍ ରେ ଏହାର ପ୍ରଥମ ଟିକା ଦିଆଯାଇଛି । ଗତକାଲି ଏନେଇ ନୀତି ଆୟୋଗ ପକ୍ଷରୁ ଏନେଇ ସୁଚନା ଦିଆଯାଇଥିଲା ଯେ ସ୍ଫୁଟନିକ୍-ଭି ଟିକା ଭାରତରେ ପହଞ୍ଚି ସାରିଛି । ଖାଲି ସେତିକି ନୁହେଁ ଜୁଲାଇ ମାସରୁ ଭାରତରେ ସ୍ପୁଟନିକ୍-ଭିର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଯିବ ବୋଲି ନୀତି ଆୟୋଗର ସ୍ଵାସ୍ଥ୍ୟ କମିଟିର ସଦସ୍ୟ ଭିକେ ପଲ୍ କହିଥିଲେ । ଟିକାକରଣରେ ଭାରତ ତୃତୀୟ ସ୍ଥାନରେ ରହିଛି । ବର୍ତ୍ତମାନ ଦେଶରେ ୧୮ ରୁ ୪୪ ବର୍ଷର ଲୋକମାନଙ୍କୁ ଟିକା ଦିଆଯାଉଛି । ପୂର୍ବରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସେମାନଙ୍କୁ ଏବେ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଉଛି ।
ଋଷିଆରୁ ଏହି ଟିକା ଆମଦାନୀ ହୋଇ ଭାରତରେ ମେ ୧ରେ ପହଞ୍ଚିଥିଲା। ଏହାପରେ ମେ ୧୩ରେ ଭାରତର ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରୋଟରୀ ଏହି ଟିକାକୁ ଅନୁମତି ଦେଇଛି। ଏବେ ଏହି ଟିକା ଆମଦାନୀ ହୋଇଛି। ଆଗାମୀ ଦିନରେ ଭାରତରେ ତିଆରି ହେଲେ ଦର କମିବ ବୋଲି ସୂଚନା ରହିଛି।
ସୂଚନାଯୋଗ୍ୟ, ଦେଶରେ କୋଭିଶିଲ୍ଟ, କୋଭାକ୍ସିନ ପରେ ତୃତୀୟ ଟିକା ଭାବରେ ଋଷିଆର ସ୍ପୁଟନିକ ଭି ଜରୁରୀକାଳୀନ ଭାବରେ ଅନୁମୋଦିତ ହୋଇଛି।