ଚୀନ୍‌ ରକେଟ୍‌ ଭାରତ ମହାସାଗରରେ ଖସିଲା

ନୂଆଦିଲ୍ଲୀ : ଚୀନ୍‌ର ୧୮ ଟନ୍‌ ଓଜନବିଶିଷ୍ଟ ବୃହତ୍ତମ ରକେଟ୍‌ ‘ଲଙ୍ଗ୍‌ ମାର୍ଚ ଫାଇଭ୍-ବି’ର ଧ୍ଵଂସାବଶେଷ ଭାରତ ମହାସାଗର ମଧ୍ୟକୁ ଖସିଛି। ସମୁଦ୍ରରେ ପଡ଼ିବା ପୂର୍ବରୁ ପୃଥିବୀର ବାୟୁମଣ୍ଡଳରେ ଘର୍ଷଣ ଯୋଗୁଁ ରକେଟ୍‌ର ବହୁ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଥିବା କଥା ଚୀନା ରାଷ୍ଟ୍ରାୟତ ଗଣମଧ୍ୟମ କହିଛି।

ଖବର ଅନୁଯାୟୀ ରବିବାର ସକାଳ ୧୦.୨୪ରେ ‘ଲଙ୍ଗ୍‌ ମାର୍ଚ ଫାଇଭ୍‌-ବି’ର ଅଂଶବିଶେଷ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରିଥିଲା। ଏହାପରେ ପୂର୍ବକୁ ୭୨.୪୭ ଡିଗ୍ରି ଦ୍ରାଘିମା ଓ ଉତ୍ତରକୁ ୨.୬୫ ଡିଗ୍ରି ଅକ୍ଷାଂଶ ମଧ୍ୟସ୍ଥ ସମୁଦ୍ର ଜଳରାଶିରେ ଖସିପଡ଼ିଛି। ଚୀନ ମ୍ୟାନ୍‌ଡ୍‌ ସ୍ପେସ୍‌ ଇଞ୍ଜିନିୟରିଙ୍ଗ୍‌ ଅଫିସ୍‌ର ତଥ୍ୟ ଆଧାରରେ ଚୀନା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ମାଳଦ୍ଵୀପପୁଞ୍ଜର ପଶ୍ଚିମ ପାଖ ସମୁଦ୍ରରେ ଏହି ରକେଟ୍‌ ଖସିବାର ପ୍ରଭାବ ଅନୁଭୂତ ହୋଇଛି।

ସମୁଦ୍ରର ଠିକ୍‌ କେଉଁ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିଛି ଓ କେତେ ଅଞ୍ଚଳ ପର୍ଯ୍ୟନ୍ତ ରକେଟ୍‌ର ଭଗ୍ନାବଶେଷ ପଡ଼ିଛି ତାହା ପ୍ରକାଶ କରାଯିବ ନାହିଁ ବୋଲି କୁହାଯାଇଛି।