ଡିଆରଡିଓର କରୋନା ଔଷଧକୁ ମିଳିଲା ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ଡିଆରଡିଓର ଆଇଏନଏମଏଏସ୍‌ ଓ ସିସିଏମ୍‌ବି ପ୍ରସ୍ତୁତ କରିଛି ଔଷଧ। ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ଜରିଆରେ ଏହାର ପରୀକ୍ଷା କରାଯାଇଥିବା ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

ଖବର ଅନୁଯାୟୀ ଏହି ଔଷଧର ନାଁ ରହିଛି 2-deoxy-D-glucose (2-DG)। କ୍ଲିନିକାଲ୍ ଟ୍ରାଏଲ ବେଳେ ଜଣାପଡ଼ି 2-DGର ବ୍ୟବହାର ଦ୍ୱାରା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି। ରୋଗୀଙ୍କୁ ଅକ୍ସିଜେନ ଉପରେ ନିର୍ଭର କରିବାକୁ ପଡ଼ୁନି। ତେଣୁ ଏହା କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ବୈଜ୍ଞାନିକମାନେ ୨୦୨୦ ଏପ୍ରିଲରୁ ଏହି ଔଷଧ ଉପରେ ପରୀକ୍ଷା ନୀରିକ୍ଷା କରୁଥିଲେ। ପରୀକ୍ଷା ବେଳେ ଜଣାପଡ଼ିଥିଲା ଏହି ଔଷଧ କରୋନାକୁ ରୋକିବାରେ ସହଯୋଗ କରୁଛି। ଏହି ତଥ୍ୟ ମିଳିବା ପରେ ୨୦୨୦ ମେ’ରେ ଡିସିଜିଆଇ ଏହାର ଫେଜ୍‌-୨ ଟ୍ରାଏଲ ପାଇଁ ଅନୁମତି ଦେଇଥିଲା। ଫେଜ-୨ ଟ୍ରାଏଲ ‘ଏ’କୁ ୬ଟି ଓ ଫେଜ-୨ ଟ୍ରାଏଲ ‘ବି’କୁ ୧୧ଟି ହସ୍ପିଟାଲରେ କରାଯାଇଥିଲା। ଅକ୍ଟୋବ ମାସର ମଧ୍ୟ ଭାଗରେ କରାଯାଇଥିବା ଏହି ଟ୍ରାଏଲ ପ୍ରାୟ ୧୧୦ ଜଣ କରୋନା ରୋଗୀ ସାମିଲ ହୋଇଥିଲେ। ଏହି ଔଷଧ ଦ୍ୱାରା ଚିକିତ୍ସିତ ହେଉଥିବା ରୋଗୀମାନେ ସାଧାରଣ କରୋନା ଆକ୍ରାନ୍ତଙ୍କ ତୁଳନାରେ ୨.୫ ଦିନ ପୂର୍ବରୁ ସୁସ୍ଥ ହେଉଥିବା ଜଣାପଡ଼ିଥିଲା।

ସେହିପରି ୨୦୨୦ ଡିସେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଦେଶର ୨୭ଟି ହସ୍ପିଟାଲରେ ଫେଜ ୩ ଟ୍ରାଏଲ କରାଯାଇଥିଲା। ଏଥିରେ ପ୍ରାୟ ୨୨୦ ଜଶ କରୋନା ରୋଗୀ ସାମିଲ ହୋଇଥିଲେ। ମହାରାଷ୍ଟ୍ର, ଦିଲ୍ଲୀ, ୟୁପି, ବେଙ୍ଗଲ, ଆନ୍ଧ୍ର, ତାମିଲନାଡୁ, ଗୁଜରାଟ, ରାଜସ୍ଥାନ ଓ କର୍ଣ୍ଣାଟକା ଭଳି ରାଜ୍ୟର ହସ୍ପିଟାଲରେ ଏହାର ଟ୍ରାଏଲ କରାଯାଇଥିଲା। ପରୀକ୍ଷା ବେଳେ ଯେଉଁମାନଙ୍କୁ ୨-ଡିଜି ଔଷଧ ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୪୨% ରୋଗୀଙ୍କୁ ତୃତୀୟ ଦିନରେ ଆଉ ଏକ୍ସିଜେନର ଦେବାକୁ ପଡ଼ି ନଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ପାଣିରେ ଗୋଳାଇ ରୋଗୀଙ୍କୁ ଦିଆଯାଇ ଥାଏ। ଶରୀରକୁ ଏହା ଯିବା ପରେ ସଂକ୍ରମିତ ସେଲ୍‌ ଉପରେ ଜମାଟ ବାନ୍ଧି ଦେଇଥାଏ। ଫଳରେ ଭାଇରସ ଶରୀରର ଅନ୍ୟ ସେଲଗୁଡ଼ିକ ପ୍ରବେଶ କରିପାରି ନଥାଏ। ସଂକ୍ରମିତ ସେଲଗୁଡ଼ିକୁ ଚିହ୍ନଟ କରିବାର କ୍ଷମତା ଏହି ଔଷଧର ରହିଛି।