ବାଲିଗୁଡା : ୦୩/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକରେ ହୋଇଥିବା ଦୁର୍ନୀତି ମାମଲାରେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ସେମାନଙ୍କ ପାଖରୁ ସରକାରଙ୍କ ଟଙ୍କା ଅସୁଲ କରାଯାଇଛି କି ନାହିଁ ତାହା ଉପରେ ରିପୋର୍ଟ ମାଗିଛନ୍ତି ସରକାର । ଏଥିସହ ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ୧୫ ତାରିଖ ସୁଦ୍ଧା ସବୁ ଘଟଣାର ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭିନ୍ନକ୍ଷମ ସାମାଜିକ ସୁରକ୍ଷା ଏବଂ ସଶସ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗତ ୧ ତାରିଖରେ ଚିଠି ନଂ.୮୭୮୧ ରେ ଜିଲାପାଳଙ୍କୁ ଏହି ଘଟଣା ଉପରେ ରିପୋର୍ଟ ମାଗିଛନ୍ତି । ବାଲିଗୁଡା ବ୍ଳକରେ ଜାତୀୟ ପରିବାର ସହାୟତା ଯୋଜନା (ଏନଏଫବିଏ)ରେ ୭୫ ଲକ୍ଷ ୩୦ ହଜାର ଟଙ୍କାର ଦୁର୍ନୀତି ହୋଇଥିଲା। ଅଡିଟ ରିପୋର୍ଟ ଅନୁସାରେ ଏଥିରେ ସାମିଲ ଥିବା ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ କରି ସରକାରଙ୍କ ପାଖକୁ ନେବା ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦୨୨ ନଭେମ୍ବର ୩୧ରେ ଚିଠି ନଂ. ୩୦୯୪, ୨୦୨୩ ମାର୍ଚ୍ଚ ୨୮ରେ ଚିଠି ନଂ. ୨୬୧୮ ଏବଂ ମାର୍ଚ୍ଚ ୩୦ରେ ଚିଠି ନଂ ୨୭୦୬ରେ ବାରମ୍ବାର ଚିଠି କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । ତୁରନ୍ତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଖରୁ ଅର୍ଥ ଆଦାୟ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି । ସରକାରୀ ଅର୍ଥ ହଡପ କରି ଆମର କିଛି ହେବ ନାହିଁ ବୋଲି ଭାବି ବସିଥିବା ଅଧିକାରୀ ଙ୍କ ଉପରେ ଏବେ ଚଡକ ପଡିଛି । ଏହି ଦୁର୍ନୀତିର ମୂଳ ପୂର୍ବତନ ଏଲ୍ଏସ୍ଇଓ / ବିଏସଏସ୍ଓ ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ହେଲେ ତାଙ୍କ ପାଖରୁ କୌଣସି ଟଙ୍କା ଅସୁଲ କରାଯାଇନାହିଁ । ଏହି ଦୁର୍ନୀତିର ସାମିଲ ଥିବା ଅନ୍ୟମାନଙ୍କ ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ସେମାନଙ୍କୁ ହୋଇଥିବା ନିର୍ଦ୍ଦେଶ ମୁତାବକ ଅର୍ଥ ଭରଣା କରାଯାଇନାହିଁ । ବାଲିଗୁଡା ବ୍ଳକରେ ଲୋକାଲ ଫଣ୍ଡ ଅଡିଟ ଚିଠି ନଂ. ୨୮୬/୨୭.୨.୨୦୧୭ ରେ ଓଏପି( ବାଦ୍ଧକ୍ୟ ଭତ୍ତା), ଏନଏଫବିଏ (ଜାତୀୟ ପରିବାର ସହାୟତା ଯୋଜନା) ଯୋଜନାରେ କୋଟିରୁ ଉର୍ଦ୍ଧ ଟଙ୍କା ହଡପ ନେଇ ବାଲିଗୁଡା ଥାନାରେ କିଛି ଅଧିକାରୀ ଓ କର୍ମଚାରୀଙ୍କ ନାମରେ ମାମଲା ହୋଇଛି । କିନ୍ତୁ ଦୀର୍ଘ ୬ ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏ ଏମାନଙ୍କ ଉପରେ କୌଣସି ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । କେବଳ ଏଇଏସିଓ ଅମୃତା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଘଟଣାରେ ସାମିଲ ଥିବା କ୍ୟାସିୟର ଓ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ପାଇଁ ଆସୁଥିବା କୋଟି କୋଟି ଟଙ୍କାକୁ ବାଲିଗୁଡା ବ୍ଲକ ର ପୂର୍ବତନ ଏଲଏସିଓ ଅମୃତା ମିଶ୍ର, ପୂର୍ବତନ କୋଷାଧ୍ୟକ୍ଷ ସତ୍ୟ ନାରାୟଣ ସାହୁ, ବରିଷ୍ଠ କିରାଣି ତଥା ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲ, ପୂର୍ବତନ ଆକାଉଣ୍ଟାଣ୍ଟ ଜୟଦେବ କହଁର ୨୦୦୯ରୁ ୨୦୧୭ ଆର୍ଥିକ ବର୍ଷରେ କୋଟିଏରୁ ଉଦ୍ଧ ଟଙ୍କା ହଡପ କରିଥିବା ସ୍ବତନ୍ତ୍ର ଅର୍ଡିଟ୍ ରିପୋର୍ଟରେ ପ୍ରକାଶ ପାଇଥିଲା । ପୂର୍ବତନ ଏଲଏସଇଓ ଅମୃତା ମିଶ୍ରଙ୍କ ନାମରେ ୧୯ଲକ୍ଷ ୭୨ହଜାର ୫୫୩, ବାଲିଗୁଡା ପୂର୍ବତନ କ୍ୟାସିୟର ସତ୍ୟ ନାରାୟଣ ସାହୁଙ୍କ ନାମରେ ୧୭ଲକ୍ଷ ୮୪ହଜାର୧୫୪, ଆକାଉଣ୍ଟାଣ୍ଟ ପ୍ରକାଶ ଚନ୍ଦ୍ର ସାହୁଙ୍କ ନାମରେ ୧୧ ଲକ୍ଷ ୩୦ହଜାର, ପୂର୍ବତନ ବିଡିଓ ଶୁଭେନ୍ଦୁ ସାମଲଙ୍କ ନାମରେ ୧୭ ଲକ୍ଷ ୧୪ହଜାର ୧୫୫ଟଙ୍କା ଓ ବାଲିଗୁଡା ପୂର୍ବତନ ହେଡ୍ କ୍ଲର୍କ ଜୟଦେବ କହଁରଙ୍କ ନାମରେ ୭ଲକ୍ଷ ୧୪ହଜାର ୧୫୪ଟଙ୍କା ହଡପ କରିଥିବା ରିପୋର୍ଟରେ ଦର୍ଶା ଯାଇଥିଲା । ସେହିପରି ୪ ଜଣ ପୂର୍ବତନ ବିଡିଓଙ୍କ ନାମରେ ଟଙ୍କା ହଡପ ଅଭିଯୋଗ ହୋଇଥିଲା । ତେବେ ପୂର୍ବତନ ବିଡିଓ ପ୍ରମୋଦ ପୃଷ୍ଟି ରବି ନାରାୟଣ ସାହୁ ଓ ସରୋଜ ମିଶ୍ର ନାମରେ ଥିବା ଟଙ୍କା ସେମାନେ ଫେରାଇ ଦେଇଛନ୍ତି । ସୂଚନାଯୋଗ୍ୟ, ବାଲିଗୁଡା ବ୍ଲକରେ ଏନଏଫବିଏସରେ ପାଖାପାଖି କୋଟିଏ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଲୋକାଲ ଅର୍ଡିଟରୁ ଜଣାପଡିବା ରୁ ପୂର୍ବତନ ଜିଲାପାଳ ରଘୁ.ଜି ଏହାର ଏକ ସ୍ବତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଆସିଥିବା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଲୋକଙ୍କ ନାମରେ ୨୦ରୁ ୨୨ ଥର ଲେଖାଏ ଡିପୋଜିଟ କରାଯାଇ ଟଙ୍କା ହଡପ କରାଯାଇଥିବା ଲୋକାଲ ଅର୍ଡିଟ ଫଣ୍ଡ ରିପୋର୍ଟରେ ପ୍ରକାଶ ପାଇଥିଲା । ସ୍ୱତନ୍ତ୍ର ଅଡିଟ ରେ ଦେଢ କୋଟି ଅର୍ଥ ହଡପ ହୋଇଥିବା ଜଣାପଡିବା ପରେ ପୂର୍ବତନ ଜିଲାପାଳ ଡା.ବୃନ୍ଦା ଡି. ଅଭିଯୁକ୍ତ ମାନଙ୍କ ବିରୋଧରେ ଏତଲା ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।