ଗାବାଟବାଡ଼ି ଗ୍ରାମ୍ୟ ଉନ୍ନୟନ ରାସ୍ତା ଖାଲଖମା,ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨୮/୭(ତରଣି ସାହୁ): ରାସ୍ତାରେ ଆଉ ପିଚୁ ଦେଖିବାକୁ ମିଳୁନାହିଁ । ପିଚୁ ଦବିଯାଇ ମାଟି ଦେଖାଗଲାଣି । ରାସ୍ତା ସାରା ଯୁଆଡ଼େ ଦେଖିବ ଖାଲି ଖାଲ ହିଁ ଖାଲ । ଖାଲରେ ପାଣି ଜମିବା ଫଳରେ ଗର୍ତ୍ତ ଜଣା ପଡୁନଥିବା ଘଟୁଛି ଦୁର୍ଘଟଣା । ଏଭଳି କି ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗବାଟବାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ହୋଇଥିବା ରାସ୍ତାରେ ଏଭଳି କିଛି ଦେଖିବାକୁ ମିଳିଛି । ଉକ୍ତ ରାସ୍ତା ରାଇକିଆ ପୂର୍ତ୍ତ ବିଭାଗ ରାସ୍ତା(ଲାରିବାଡି ଛକ)ଠାରୁ ଆରମ୍ଭ ହୋଇ ଲାରିବାଡ଼ି ଗ୍ରାମ ଦେଇ ଗବାଟବାଡ଼ି ଓ ଡକରବାଡ଼ି ଗ୍ରାମକୁ ସଂଯୋଗ କରିଚି । ୩ ଟି ଗାଁର ୨୦୦ ପରିବାର ୮୦୦ ରୁ ଉର୍ଦ୍ଧ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧ କୋଟି ୫୨ ଲକ୍ଷ ବ୍ୟୟ ଅଟକଳରେ ୨୦୨୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୫ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ୧୪ ଲକ୍ଷ ଟଙ୍କା ରହିଥିଲା । ହେଲେ ରାସ୍ତା କାମ ସଂପୂର୍ଣ୍ଣ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଥର ମଧ୍ୟ ରକ୍ଷଣାବେକ୍ଷଣ ହୋଇ ନାହିଁ । ରକ୍ଷଣାବେକ୍ଷଣ ଅଭାବ ରୁ ସାଢେ଼ ୪ କିଲୋମିଟର ରାସ୍ତା ଆଜି ଲୋକଙ୍କ ପାଇଁ ମରଣଯନ୍ତା ସାଜିଛି । ରାସ୍ତା ସାରା ଖାଲଖମା ହୋଇଥିବା ବେଳେ କାଦୁଅ ପଚପଚ ହେଉଛି । ଖାଲ ଗୁଡ଼ିକରେ ପାଣି ଭରି ହୋଇ ରହୁଚି । ଫଳରେ ଯାତାୟତ କରିବା ମୁସ୍କିଲ ହୋଇ ପଡୁଛି । ବର୍ଷା ଦିନ ହୋଇଥିବାରୁ ୩ ଟି ଗାଁ ର ଲୋକେ ବଜାର ହେଉ କିମ୍ବା ଅନ୍ୟାନ୍ୟ କାମ ପାଇଁ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାର ଯଥା ଶୀଘ୍ର ମରାମତି କରିବା ଗ୍ରାମବାସୀ ଦାବି କରିଛନ୍ତି ।