ରାୟଗଡା,(ଅମୁଲ୍ୟ ନିଶଙ୍କ): କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ହୁଇକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସେହିପରି ଏବିଇଓ ପିତୃଦେବ ବିଡ଼ିକା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦିପକ କୁମାର ବେହେରା, ସିଆରସିସି ଗୋବର୍ଦ୍ଧନ କୁଲୁସିକା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ନିଶାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ ସହ ସ୍ଵାଗତ ନୃତ୍ୟ କରାଯାଇଥିଲା | ବିଦ୍ୟାଳୟର ସହକାରୀ ଶିକ୍ଷକ ଅମୂଲ୍ୟ ମାଳି ବାର୍ଷିକ ବିବରଣୀ ପାଠ କରିଥିଲେ | ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ, ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ବକ୍ତା ବିଇଓ ଶ୍ରୀମତୀ ଜେନା ମତବ୍ୟକ୍ତ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ନିଜ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ଚରିତ୍ର ନିର୍ମାଣ, କଠିନ ପରିଶ୍ରମ ଓ ଆତ୍ମ ବିଶ୍ୱାସୀ ହେଲେ ନିଶ୍ଚିତ ଭାବେ ସଫଳତା ହାସଲ କରିହେବ ବୋଲି ବିଦ୍ୟାଳୟ ସଭାପତି ନରେନ୍ଦ୍ର ନିଶାଲ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ | ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ | ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ସ୍ଥାନର ଶିକ୍ଷାନୁଷ୍ଠାନରୁ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ସଞ୍ଜୟ କୁମାର ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୋମନାଥ ଦାସ, ବାଳକୃଷ୍ଣ ଗମାଙ୍ଗ, ଦେବେନ୍ଦ୍ର ଦୋରା, ଲକ୍ଷ୍ମୀକାନ୍ତ ରାଉତଙ୍କ ସମେତ ଶିକ୍ଷୟିତ୍ରୀ ଲିଲିପ୍ରିୟା ଶ୍ରଭା ସାହୁ, ଅନିଲି ପାଢ଼ୀ, ପ୍ରୀତିସୁଦ୍ଧା ପଣ୍ଡା, ଟି ଲକ୍ଷ୍ମୀ ନାରାସାମ୍ମା ଓ ଜିତାରାନୀ ସେନାପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |