ରାୟଗଡା,(ଅମୁଲ୍ୟ ନିଶଙ୍କ):କୋଲନରା ବ୍ଲକ ଅନ୍ତର୍ଗତ ବଡଖିଲାପଦର ସଦର ଗ୍ରାମ ପଞ୍ଚାୟତରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ କୋଲନରା ପଞ୍ଚାୟତ ସମିତି ଅଧକ୍ଷା ସଂଯୁକ୍ତା କୁଲିସିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଞ୍ଜୁଲତା ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସେହିପରି ବିଡିଓ ରୀନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵର ନାଇଡୁ, ସମିତି ସଭ୍ୟ କୈଳାଶ ହିକକା, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ସୁରେନ୍ଦ୍ର କଣ୍ଡାଗରି, କପାପଦର ପୁର୍ବତନ ସରପଞ୍ଚ ବିର ସିଂ କୁମୁରିକା, କୈଳାସପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ଘଡେଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କଣ୍ଡାଗରି ଓ ଅନାଦି ଚରଣ କିଲାକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ଦ୍ୱୀପ ପ୍ରଜ୍ୱଳନ କରାଗଲା ପରେ ଅତିଥି ପରିଚୟ ଏବଂ ଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ପରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା | ପ୍ରଧାନ ଶିକ୍ଷକ ନବୀନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ବିଦ୍ୟାର୍ଥୀ ମାନଙ୍କ ଲୁକ୍କାୟିତ ପ୍ରତିଭା ଚୟନ ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ, ପାଠପଢା ସହିତ କ୍ରୀଡ଼ାରେ ଜଡିତ ରହିଲେ ଛାତ୍ରଛାତ୍ରୀ ମାନଙ୍କ ମୌଖିକ ବିକାଶ ହେବା ସହ କଠିନ ପରିଶ୍ରମ ହିଁ ଜୀବନରେ ସଫଳତା ଆଣିଦେଇଥାଏ ବୋଲି ମୁଖ୍ୟ ବକ୍ତା ଶ୍ରୀମତୀ ଜେନା ନିଜ ଅଭିଭାଷଣରେ କହିଥିଲେ | ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଅନୁସୂଚିତ ଜନଜାତି ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅନ୍ୟ ଅତିଥି ମାନେ ମତବ୍ୟକ୍ତ କରିଥିଲେ | ଏହି ଅବସରରେ ବିଭିନ୍ନ କ୍ରୀଡ଼ାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରି ଉତ୍ସାହିତ କରିଥିଲେ | ଏହାପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ କଲ୍ୟାଣୀ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ତ୍ରିନାଥ ଶବର, ସ୍ୱରାଜ ବେହେରା, ଶ୍ୟାମ ସୁନ୍ଦର ଶବର, ଦୈତାରୀ ବାରିକ, ମୋନାଲିସା ମଲ୍ଲିକ, ଜଗନ୍ନାଥ କଲାକା, ମୋହନରାଓ କଡ୍ରକା, ହରିଶଙ୍କର ବାତ୍ରିଆ ଓ ମେଟ୍ରୋନ ବାସନ୍ତୀ ସାମଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |