ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ବଡ଼ ଦେଉଳର ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିମନ୍ତ୍ରଣ ନେଇ ପୁରୀରୁ ସ୍ଵତନ୍ତ୍ର ପ୍ରତିନିଧି ନୋଡାଲ ଅଧିକାରୀ ବିକାଶ ମହାନ୍ତି ଙ୍କ ତତ୍ୱାବଧାନରେ ଜଗନ୍ନାଥ ସେବକ ମନୋଜ ମହାନ୍ତି, ରାଜକିଶୋର ପଣ୍ଡା ଓ ରାଜେଶ ଖୁଣ୍ଟିଆ ଗତ କାଲି ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଞ୍ଚି ସହର ସ୍ଥିତ ପୁରୁଣା ବଡ଼ ଜଗନ୍ନାଥ ମନ୍ଦିରରେ ବିଧିବଦ୍ଧ ଭାବରେ ଶ୍ରୀମନ୍ଦିର ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବଡ ଜଗନ୍ନାଥ ମନ୍ଦିର ପୂଜକଙ୍କୁ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ଅର୍ପଣ କରିଥିଲେ l ଆଜି ସକାଳେ ଏହି ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୁ ପହଞ୍ଚି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରି ପୁରୀ ଶ୍ରୀମନ୍ଦିର ପ୍ରଦତ୍ତ ପରିକ୍ରମା ଲୋକାର୍ପଣ ନିମନ୍ତ୍ରଣ ପୂଜକ ସହିତ ଉପସ୍ଥିତ ଟ୍ରଷ୍ଟ ସଦସ୍ୟ ପ୍ରମୁଖ ଙ୍କୁ ପ୍ରଦାନ କରିଛନ୍ତି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜାନୁଆରୀ 17 ତାରିଖରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ l ଏହି ଧାର୍ମିକ ମହାସମାରୋହରେ ଯୋଗଦେବା ପାଇଁ ଦେଶର ତଥା ରାଜ୍ୟର ପ୍ରମୁଖ ଦେବାଦେବୀ ଏବଂ ବ୍ୟକ୍ତିବିଶେଷଙ୍କୁ ଶ୍ରୀମନ୍ଦିରର ପ୍ରଶାସନ ତରଫରୁ ସ୍ଵତନ୍ତ୍ର ନିମନ୍ତ୍ରଣ ଦେଇ ପ୍ରତିନିଧି ମାନଙ୍କୁ ପ୍ରେରଣ କରାଯାଉଛି l ଆଜିର ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି,ଉଲୁଣ୍ଡା ତହସିଲଦାର ଦିଲୀପ କୁମାର ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସେବାୟତ ଗୁଣାକର ପଣ୍ଡା, ଉତ୍ତର କୁମାର ପାତ୍ର, ନଳିନୀ ବାଘ, ଜଗଦୀଶ କର୍ଣ୍ଣ , ଜାନକୀରାମ ଦେହେରୀ, ମହାଦେବ ସାହୁ, ସ୍ଥାନୀୟ ବରିଷ୍ଠ ନାଗରିକ, ବିଭିନ୍ନ ସ୍ବେଛାସେବୀ ସଂଘ ର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ l