ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ

ରାୟଗଡା,ଚନ୍ଦ୍ରପୁର,(ପ୍ରଫୁଲ କୁମାର ବେହେରା ) :ଗତ କାଲି ହତ୍ୟା କରି ପୋଡ଼ିଦେବାକୁ ଉଦ୍ୟମ ଅଭିଯୋଗ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଶୁକ୍ରବାର ଜଣେ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ କାଶୀପୁର ବ୍ଲକ ନକଟିଗୁଡାର ବେଲଧର ମାଝୀଙ୍କ ଝିଅ ଲକ୍ଷ୍ମୀ ମାଝି (୨୮)। ତେବେ ତାଙ୍କୁ କେହି ହତ୍ୟା କରି ପୋଡି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିବା ମୃତ ଯୁବତୀଙ୍କ ବାପା ବେଲଧର ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଡାକ୍ତରଖାନାକୁ ପଠାଇଛି। ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଲକ୍ଷ୍ମୀ ଗତ ୪ ବର୍ଷ ହେଲା ଚନ୍ଦ୍ରପୁର ସ୍ଵାସ୍ଥ୍ୟକେନ୍ଦ୍ରର ମା ଗୃହରେ ରହି ଗୁଣପୁରସ୍ଥିତ ଏନଜିଓ ଆଲିଶା ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରୁ ସେ ନିଖୋଜ ଥିବା ତେବେ ४ ତା ସାଙ୍ଗମାନେ ଫୋନ୍‌ କରି ଜଣାଇଥିଲେ। ବହୁ ଖୋଜାଖୋଜି କରିବା ପରେ ଲକ୍ଷ୍ମୀଙ୍କ ମୃତଦେହ ଏକ ପରିତ୍ୟକ୍ତ ଭଙ୍ଗା ଘରେ ପଡ଼ିଥିବା ବେଳେ ସେଠାରେ ତାକୁ ନିଆଁ ଲଗେଇ ପୋଡିବାକୁ ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଥିଲା। ମେଡିକାଲ ପରିସରରେ ଏହି ଘଟଣା ଘଟିଥିଲେ ମଧ୍ୟ କିଭଳି କୌଣସି ମେଡିକାଲ କର୍ମଚାରୀଙ୍କ ନଜରରେ ପଡ଼ିଲା ନାହିଁ ବୋଲି ତାଙ୍କ ବାପା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଉକ୍ତ ସ୍ଥାନରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ଥିବା ବେଲଧର କହିଛନ୍ତି । ଲକ୍ଷ୍ମୀ ରହୁଥିବା ଉକ୍ତ ମା’ ଗୃହର ନିର୍ଦ୍ଦେଶକ ତାଙ୍କ ଝିଅଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ବେଲଧର ଏତଲାରେ ଉଲ୍ଲେଖ କରିଛନ୍ତି। ତେଣୁ ଘଟଣାର ସଠିକ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।