ବୀରମହାରାଜପୁରରେ ଓବିସି ଜନଜାଗରଣ ରଥକୁ ସ୍ବାଗତ – ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା

ବୀରମହାରାଜପୁର -(ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଠାରେ ଓବିସି ଜନଜାଗରଣ ରଥକୁ ଭବ୍ୟ ସ୍ଵାଗତ କରାଯାଇଛି। ପ୍ରଥମେ ପଣ୍ଡିଆପାଲି ସ୍ଥିତ ରାମଚଣ୍ଡୀ ପୀଠରେ ରଥ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ରଥପୁରର ମେହେର ସାହି, ଟିଠିପାଲି, କମଳପୁର, ଟାଙ୍ଗରସାହି, କେନ୍ଦୁପାଲି, ବୀରମହାରାଜପୁର ମୁଖ୍ୟ ଛକ, ବାଗବର, ମୁର୍ଷୁଣ୍ଢି ଓ ହିଲୁଙ୍ଗ ଗ୍ରାମ ପରିକ୍ରମା କରିଥିଲା। ଏହି ଅବସରରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଦେବାର୍ଚ୍ଚନ ଚାଉଳିଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରିୟବ୍ରତ ସାହୁ, କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ଲବକୁମାର ସାହୁ, ରାଜେନ୍ଦ୍ର ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଆଲୋକ ଦେହୁରୀ, ଭଗବାନ କର୍ଣ୍ଣ, ସୁଧାଂଶୁ କର୍ଣ୍ଣ, ଦିଲ୍ଲୀପ ପଧାନ, ନବଘନ ଗୁଦୁରିଆ, ସଞ୍ଜୟ ଅମାତ, ରଞ୍ଜନ ଅମାତ, ଶରତ ମେଣ୍ଡିଲି, ଉଦ୍ଧବ ବାଘ, ବିକାଶ ମହାକୁର, ସଞ୍ଜୟ ମହାକୁର, ଅଟଳ ମେଣ୍ଡିଲି, ମୋହନ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ବାରିକ ସମାଜ, କୁଲତା ସମାଜ, ଚଷା ସମାଜ, ମେହେର ସମାଜ, ଡୁମାଳ ସମାଜ ଓ ମାହେଶ୍ୱରୀ ସେନାର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ରଥକୁ ସ୍ବାଗତ ଜଣେଇ ଥିଲେ। ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ଏହି ବର୍ଗର ସାମ୍ବିଧାନିକ ହକ୍, ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ଵ ପାଇଁ ଏହି ରଥ ସଚେତନତା ସୃଷ୍ଟି କରିଥିଲା। ବିଶେଷ ଭାବେ ଓବିସି ସଶକ୍ତିକରଣ ପାଇଁ ଜାତି ଜନଗଣନା କରିବା, ଏସଇବିସିଙ୍କ ଠାରୁ ଅଲଗା କରି ସ୍ଵତନ୍ତ୍ର ଓବିସି ଆରକ୍ଷଣ ସୁନିଶ୍ଚିତ କରିବା, କ୍ରିମି ଲେୟର ବ୍ୟବସ୍ଥା ତଥା ଶତକଡା ୫୦ ଭାଗ ଆରକ୍ଷଣ ସିଲିଂକୁ ଉଚ୍ଛେଦ କରି ଓବିସିଙ୍କ ପାଇଁ ଶତକଡା ୫୨ ଭାଗ ଆରକ୍ଷଣ ବ୍ୟବସ୍ଥା କରିବା, ଓବିସି ପ୍ରମାଣପତ୍ରକୁ ସ୍ଥାୟୀ କରିବା, ଓବିସିଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରକ୍ଷଣକୁ ସୁନିଶ୍ଚିତ କରିବା, କୌଳିକ ବୃତ୍ତିକୁ ଆର୍ଥିକ ପ୍ରୋତ୍ସାହନ, କୃଷକଙ୍କୁ ସ୍ଵତନ୍ତ୍ର କୃଷି ପ୍ରୋତ୍ସାହନ ଯୋଗାଇଦେବା ନେଇ ଦାବି ହେଉଛି।