ବ୍ରହ୍ମପୁର ରେ ଅକ୍ଟୋବର ବିପ୍ଳବ ଦିବସରେ ପାଲେଷ୍ଟାଇନ୍ ପ୍ରତି ସଂହତି ଜ୍ଞାପନ ସଭା

ବ୍ରହ୍ମପୁର:୮/୧୧(ଶ୍ରୀକାନ୍ତ କୁମାର ବେହେରା)- ମହାନ୍ ଅକ୍ଟୋବର ବିପ୍ଳବ ଦିବସ ନଭେମ୍ବର ୭ ତାରିଖ ଦିନ ସିପିଆଇ ବ୍ରହ୍ମପୁର ଅଞ୍ଚଳ ପରିଷଦ ପକ୍ଷରୁ ପାର୍କ ସାହି ଠାରେ ଆଞ୍ଚଳିକ ସଂପାଦକ କାମଦେବ ନାହାକଙ୍କ ସଭାପତିତ୍ବରେ ପାଲେଷ୍ଟାଇନ ସଂହତି ଦିବସ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ସିପିଆଇ ନେତା ତଥା ‘ନୂଆଦୁନିଆ’ ସାପ୍ତାହିକର ସମ୍ପାଦକ ରମେଶ ଚନ୍ଦ୍ର ପାଢୀ, ସିପିଆଇ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀହର୍ଷ ରଥ, ସମଦୃଷ୍ଟି ପତ୍ରିକାର ସହକାରୀ ସମ୍ପାଦକ ବିଘ୍ନେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ବିଶ୍ବ ମାନଚିତ୍ର ର ରୂପ ବଦଳେଇ ଦେଇଥିବା ଦୁନିଆର ପ୍ରଥମ ସମାଜବାଦୀ ବିପ୍ଳବ ରୁଷିଆର ମହାନ୍ ଅକ୍ଟୋବର ବିପ୍ଳବର ତାତ୍ପର୍ଯ୍ୟ ଏବଂ ଜାତିସଂଘର ଯୁଦ୍ଧ ବନ୍ଦ ପ୍ରସ୍ତାବକୁ ଅଗ୍ରାହ୍ୟ କରି ପାଲେଷ୍ଟାଇନ୍ ଜନଗଣଙ୍କର ସ୍ବତନ୍ତ୍ର ରାଷ୍ଟ୍ର ପ୍ରତିଷ୍ଠା ଅଧିକାରକୁ ଅସ୍ବୀକାର କରି ଏବଂ ପୂର୍ବ-ଜେରୁଜେଲମକୁ ରାଜଧାନୀର ମାନ୍ୟତା ନଦେଇ ଗାଜା ଅଞ୍ଚଳରେ ପାଲେଷ୍ଟେନୀୟ ଙ୍କୁ ଖତମ୍ କରିଦେବା ଉଦ୍ଦେଶ୍ୟରେ ଇସ୍ରାଏଲ ଦ୍ୱାରା ଚାଲିଥିବା ନରସଂହାରକାରୀ ଯୁଦ୍ଧକୁ ଦୃଢ ନିନ୍ଦା କରିଥିଲେ ।
ଏହି ସଭାରେ ଗୃହୀତ ଅନ୍ୟ ପ୍ରସ୍ତାବ ମଧ୍ୟରେ ଗାଜା ପଟ୍ଟିରେ ତୁରନ୍ତ ଯୁଦ୍ଧ ବନ୍ଦ କରାଯାଉ, ଗାଜା ଅଞ୍ଚଳରୁ ଅମାନବିକ ଅବରୋଧ ହଟାଯାଉ, ଦୁଇ ରାଷ୍ଟ୍ର ପ୍ରତିଷ୍ଠା ର ସମାଧାନ ପାଇଁ ତୁରନ୍ତ ଆଲୋଚନା ଆରମ୍ଭ କରାଯାଇ, ୧୯୬୭ ସୀମାକୁ ମାନ୍ୟତା ଦିଆଯିବା ପୂର୍ବକ ପାଲେଷ୍ଟାଇନ୍ କୁ ସ୍ବତନ୍ତ୍ର ରାଷ୍ଟ୍ର ଏବଂ ପୂର୍ବ-ଜେରୁଜେଲମ୍ କୁ ଏହାର ରାଜଧାନୀର ସ୍ବୀକୃତି ଦିଆଯାଉ, ଭାରତ ସରକାର ବର୍ତ୍ତମାନର ଅବସ୍ଥାନକୁ ବଦଳାଇ ପାଲେଷ୍ଟାଇନ୍ କୁ ସମର୍ଥନ ଘୋଷଣା କରନ୍ତୁ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ଲୋଚନ ପଣ୍ଡା, ପ୍ରବୀଣ କୁମାର ଦାଶ, ବ୍ୟାଙ୍କ କର୍ମଚାରୀ ନେତା ଏ. ସୁଧୀର, ମହମ୍ମଦ ଉସମାନ, ପ୍ରତିମା ଦେବୀ, ସୁପ୍ରଭା ମିଶ୍ର, ପ୍ରଫୁଲ ଜେନା, ରବୀନ୍ଦ୍ର ନାୟକ, ଗାଗାରିନ୍ ନାୟକ, ରୋହିତ ବିଷୋୟୀ, ସନ୍ତୋଷ ପାତ୍ର, ମହେନ୍ଦ୍ର ପାତ୍ର, ପ୍ରଭାତୀ ଦେବୀ, ସୁଧାଂଶୁବାଳା ଆଚାରୀ, ଜି. ଗୀତାରାଣୀ ପ୍ରମୁଖ ସଭାରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।