ଆନ୍ଦୋଳନ ଚେତାବନୀ ଦେଲେ ଯୋଗାଣ ସହାୟକ.

ଗୁଣପୁର,(ସିଦ୍ଧାର୍ଥ ଦାଶ) : ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ମାନେ ନିଜର ହକ ପାଇଁ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି। ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ପାଇଁ ସରକାରଙ୍କ ପଞ୍ଚାୟତରଜ ବିଭାଗ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଗତ ୨୦୧୩ ରୁ ଯୋଗାଣ ସହାୟକଙ୍କ ନିଯୁକ୍ତ କରାଯାଇଛି। ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ସରକାର କୌଣସି ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ମାସିକ ପାରିଶ୍ରମିକ ୨୫ହଜାର ଟଙ୍କା, ପଞ୍ଚାୟତରାଜ ବ୍ୟବସ୍ଥାରୁ ଅଲଗା ହୋଇ ଯୋଗାଣ ବିଭାଗରେ ସାମିଲ, ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବା, ପିଡ଼ିଏସ ଲାଇସେନ୍ସ ପ୍ରଦାନ ପ୍ରଭୃତି ଦାବି ରହିଛି। ଏନେଇ ଏକ ସ୍ମାରକପତ୍ର ବିଭାଗୀୟ ସଚିବଙ୍କୁ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଛି। ସରକାର ଯଦି କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସୁନିଶ୍ଚିତ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।