ରାୟଗଡ଼ା ୨୪/୦୮(ପ୍ରଫୁଲ କୁମାର ବେହେରା): ରାମନାକୁପୁଲି ଛକରେ ମାଓବ୍ୟାନର ଲଗାଇଲେ ନାଲବାହିନୀ। ପୋଷ୍ଟରରେ ପ୍ରମୁଖ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଧମକ। ମିଥ୍ୟା କେଶରେ ଫସାଇ ନିରୀହ ଲୋକଙ୍କୁ ଜେଲରେ ରଖିବା ମାଡ଼ ମାରୁଥିବାରୁ ତାଙ୍କୁ ତୁରନ୍ତ ନିର୍ଦ୍ଦୋଷରେ ଖଲାସ କରିବାକୁ ନକ୍ସଲ ଦେଲେ ଚେତାବନୀ। ସୂଚନା ମୁତାବିକ, ଗୁରୁବାର ସକାଳେ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ପ୍ରମୁଖ ବିଜେଡି ନେତା ଓ ମନ୍ତ୍ରୀଙ୍କୁ ଧମକ ଦିଆଯାଇଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ ଓ ପୂର୍ବତନ ସାଂସଦ ଏନ୍ ଭାସ୍କର ରାଓଙ୍କୁ ମାଓବାଦୀ ଚେତାବନୀ ଦେଇଛନ୍ତି। ପୁଲିସ ନିରୀହ ଲୋକଙ୍କୁ ମିଥ୍ୟା କେଶରେ ଫସାଇ ଜେଲ ରଖିବା ସହ ମାଡ ମାରୁଥିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାବି କରିଛନ୍ତି। ନଚେତ ଷଡଯନ୍ତ୍ର ଚଲାଇଥିବା ୩ ବିଜେଡି ନେତା ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ଏନ୍ ଭାସ୍କର ରାଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟର ସିପିଆଇ (ମାଓବାଦୀ) ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବା ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟର ନଜରକୁ ଆସିବା ପରେ ପୁଲିସ ପହଞ୍ଚି ଜବତ କରିଛି